ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହୀଦ ହୋଇଥିବା ବୀର ଯବାନଙ୍କ ପରିବାରକୁ ସହାୟତାର ହାତ ବଢାଇଛି ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଏସବିଆଇ) । ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି କି ହମଲାରେ ସହୀଦ ହୋଇଥିବା ଯବାନମାନଙ୍କ ମଧ୍ୟରୁ ୨୩ ଜଣ ବ୍ୟାଙ୍କରୁ ଲୋନ୍ ନେଇଥିଲେ । ମାତ୍ର ଏହି ଋଣକୁ ବ୍ୟାଙ୍କ ପକ୍ଷରୁ ଛାଡ କରାଯାଇଛି । ଏହାସହିତ ଖୁବ୍ ଶୀଘ୍ର ସହୀଦଙ୍କ ପରିବାରଙ୍କ ପାଇଁ ବୀମା ରାଶି ଜାରି କରାଯିବ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି ।
ବ୍ୟାଙ୍କ ପକ୍ଷରୁ ଆହୁରୀ ମଧ୍ୟ କୁହାଯାଇଛି କି ସିଆରପିଏଫ୍ ଯବାନଙ୍କର ଏସବିଆଇ ଡିଫେନ୍ସ ସାଲେରୀ ପ୍ୟାକେଜ୍ ଅନୁଯାୟୀ ୩୦ ଲକ୍ଷ ପର୍ଯ୍ୟନ୍ତ ବୀମା ହୋଇଥାଏ । ଏହି ରାଶିକୁ ତୁରନ୍ତ ରିଲିଜ୍ କରାଯିବ ।
ଏହାସହିତ ଭାରତ ବୀର ୱେସାଇଟ୍ ଜରିଆରେ ଯବାନଙ୍କୁ ସାହାଯ୍ୟ କରିବା ପାଇଁ ବ୍ୟାଙ୍କ ପକ୍ଷରୁ ଅପିଲ କରାଯାଇଛି । ସେଥିପାଇଁ ବ୍ୟାଙ୍କ ପକ୍ଷରୁ ୟୁପିଆଇ ସପର୍ଟ ଜାରି କରାଯାଇଛି । ଯାହାଦ୍ୱାରା ୟୁପିଆଇ କୋର୍ଡକୁ ସ୍କାନ କରି ସହୀଦ ଯବାନଙ୍କ ଆର୍ଥିକ ସହାୟତା କରିପାରିବେ ।
ଖବରମୁତାବକ, ଏସବିଆଇ ବ୍ୟତିତ ଅନେକ ବଲିଉଡ କଳାକାରମାନେ ମଧ୍ୟ ବୀର ଯବାନଙ୍କ ପରିବାରକୁ ସହାୟତାର ହାତ ବଢାଇଛନ୍ତି । ଏହାସହିତ ରିଲିଆନ୍ସ ଫାଉଣ୍ଡେସନ ତରଫରୁ ସହୀଦ ଯବାନଙ୍କ ପରିବାରର ସମସ୍ତ ଦାୟିତ୍ୱ ନିଆଯିବ ବୋଲି ଘୋଷଣା କରାଯାଇଛି ।