ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶ ଏବେ କରୋନା ସଙ୍କଟରେ ସନ୍ତୁଳିତ । ଗୁରୁବାର ଦେଶରୁ ୨ ଲକ୍ଷରୁ ଅଧିକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସ୍ଥିତି ଏବେ ଏତେ ମାତ୍ରାରେ ବିଗିଡିବାକୁ ଲାଗିଲାଣି କି ହସ୍ପିଟାଲ ଯିବା ପାଇଁ ଲୋକଙ୍କୁ ଆମ୍ବୁଲାନ୍ସ ମଧ୍ୟ ମିଳି ପାରୁନାହିଁ । ସେହିପରି ରାଜଧାନୀ ଦିଲ୍ଲୀରେ ମଧ୍ୟ କରୋନା ମାମଲା ବୃଦ୍ଧି ହେବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଏବେ ଇଲେକ୍ଟ୍ରିକ କ୍ୟାବ ସେବା ଯୋଗାଇ ଦେଉଥିବା କମ୍ପାନୀ ପ୍ରକୃତି ଇମୋବିଲିଟି ପ୍ରାଇଭେଟ ଲିମିଟେଡ ସହିତ ଡିଲ କରିଛି । ଯାହାଫଳରେ କମ୍ପାନୀ ଜୀବନ ସେବା ଆରମ୍ଭ କରିଛି । ସେହିଅନୁଯାୟୀ ଦିଲ୍ଲୀରେ କୋଭିଡ ରୋଗୀଙ୍କୁ ମାଗଣାରେ ପରିବହନ ସେବା ଯୋଗାଇ ଦିଆଯିବ ।
ପ୍ରକୃତି ଇମୋବିଲିଟି, ଦିଲ୍ଲୀ ରେ ଇଭେରା ନାମରେ ଇଲେକ୍ଟ୍ରିକ କାରର କ୍ୟାବ ସେବା ପ୍ରଦାନ କରିଥାଏ । କମ୍ପାନୀ ମୁତାବକ, ଦିଲ୍ଲୀର କୋଣ ଅନୁକୋଣରୁ କରୋନା ରୋଗୀଙ୍କୁ ସେବା ପ୍ରଦାନ କରିବା ପାଇଁ ଜୀବନ ସେବା ଆରମ୍ଭ କରାଯାଇଛି । ଏଥିପାଇଁ କରୋନା ରୋଗୀଙ୍କୁ ସେମାନଙ୍କ ମୋବାଇଲରେ ଜୀବନ ଆପ୍ ଡାଉନଲୋଡ କରିବାକୁ ହେବ । ଗୁଗଲ ପ୍ଲେ-ଷ୍ଟୋରରେ ଏହି ଆପ୍ ଉପଲବ୍ଧ ଅଛି । ଏହି ଆପ୍ ରେ ରେଜିଷ୍ଟ୍ରେସନ କରିବା ପରେ ଆପଣ ଏହି ସେବାର ଲାଭ ଉଠାଇ ପାରିବେ ।