ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ ) ; ସାମ୍ବାଦିକଙ୍କ ହତ୍ୟାକାରୀକୁ ଦଣ୍ଡ ଦେବାରେ ବହୁ ପଛରେ ରହିଛି ଭାରତ । ଦେଶରେ ବଢୁଛି ସାମ୍ବାଦିକଙ୍କ ପ୍ରତି ଆକ୍ରମଣ । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ରାଜନେତା , ଏମିତି କି ସାମ୍ବାଦିକ ମାନଙ୍କୁ ଆକ୍ରମଣ କରିବା କ୍ଷେତ୍ରରେ ବାଦ ପଡିନାହାନ୍ତି ନକ୍ସଲ । ସାରା ଦେଶର ବିଭିନ୍ନ ସ୍ଥାନରେ ଏବେ ସାମ୍ବାଦିକ ମାନଙ୍କ ଉପରକୁ ଆକ୍ରମଣ ବଢିବାରେ ଲାଗିଛି । ତେବେ ସାମ୍ବାଦିକଙ୍କୁ ଆକ୍ରମଣକାରୀଙ୍କ ବିରୋଧରେ ଦଣ୍ଡ ବିଧାନ କ୍ଷେତ୍ରରେ ଭାରତ ବିଶ୍ୱର ୧୪ ତମ ସ୍ଥାନରେ ରହିଛି ।
ଆମେରିକାର ଏକ ଘରୋଇ ସର୍ଭେ ସଂସ୍ଥା କମିଟ ଟୁ ପ୍ରୋଟେକ୍ଟ ଜର୍ଣ୍ଣାଲିଷ୍ଟ ରେ ଏପରି ରିପୋର୍ଟ ପ୍ରକାଶ ପାଇଛି । ଭାରତରେ ବିଗତ ଦୁଇ ବର୍ଷ ମଧ୍ୟରେ ସାମ୍ବାଦିକ ମାନଙ୍କ ଉପରେ ଆକ୍ରମଣ ବଢିଥିବା ରିପୋର୍ଟ କହିଛି । କେତେବେଳେ ଖବର ସଂଗ୍ରହ କରିବା ନିମନ୍ତେ ଯାଇଥିବା ସାମ୍ବାଦିକଙ୍କୁ କୌଣସି ଲୋକ ଆକ୍ରମଣ କରୁଛନ୍ତି ତ କେତେବେଳେ ରାଜନୈତିକ ଦଳର ସଦସ୍ୟ ମାନେ ଆକ୍ରମଣ କରୁଛନ୍ତି । ଏପରିକି ନିକଟରେ ଦୂରଦର୍ଶନର ଜଣେ ଭିଡିଓ ଜର୍ଣ୍ଣାଲିଷ୍ଟ ମଧ୍ୟ ନକ୍ସଲ ଆକ୍ରମଣରେ ପ୍ରାଣ ହରାଇଛନ୍ତି ।
ତେବେ ଭାରତରେ ସାମ୍ବାଦିକ ମାନଙ୍କୁ ହତ୍ୟା କରୁଥିବା ଦୋଷୀଙ୍କୁ ଦଣ୍ଡ ଦେବାରେ ମଧ୍ୟ ବହୁ ବିଳମ୍ବ ହେଉଛି ବୋଲି ରିପୋର୍ଟରେ ପ୍ରକାଶ ପାଇଛି । ଭାରତରେ ସାମ୍ବାଦିକଙ୍କ ହତ୍ୟାକାରୀଙ୍କୁ ଦଣ୍ଡ ଦେବାରେ ବିଳମ୍ବ ପାଇଁ ୧୪ ତମ ସ୍ଥାନରେ ରହିଛି । ସେପଟେ ଭାରତ ଛଡା ମ୍ୟାକ୍ସିକୋ, ସୋମାଲିଆ, ସିରିଆ, କଲୋମ୍ବିଆ, ପାକିସ୍ତାନ, ଫିଲିଫାଇନ୍ସ, ଇରାକ, ଆଫଗାନିସ୍ତାନ, ବ୍ରାଜିଲ, ଋଷିଆ, ବାଂଲାଦେଶ ଓ ନାଇଜେରିଆ ଆଦି ଦେଶରେ ମଧ୍ୟ ସାମ୍ବାଦିକଙ୍କ ଉପରେ ଆକ୍ରମଣ ବଢିଛି । ସାମ୍ବାଦିକ ମାନଙ୍କ ପାଇଁ ସୁରକ୍ଷା ବ୍ୟବସ୍ତା ଏବେ ଚିନ୍ତାର ବିଷୟ ପାଲଟିଛି । ବିଭିନ୍ନ ମହଲରୁ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରିବା ନେଇ ମଧ୍ୟ ଆନ୍ଦୋଳନ ଜୋର ଧରୁଛି ।