ପୁଲୱାମା (ଏଟିଆର ବ୍ୟୁରୋ): ସାଧାରଣତନ୍ତ୍ର ଦିବସ ନିମନ୍ତେ ସାରା ଦେଶରେ ଉତ୍ସବର ମାହୋଲ ଚାଲିଥିବା ବେଳେ ଦେଶରେ ଆତଙ୍କ ଖେଳାଇବା ନିମନ୍ତେ ଆତଙ୍କବାଦୀମାନେ ପ୍ରୟାସ କରୁଛନ୍ତି । ଦକ୍ଷିଣ କାଶ୍ମୀର ପୁଲୱାମା ଜିଲ୍ଲାର ତ୍ରାଲ ଅଞ୍ଚଳରେ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଆଜି ଜୈଶର ଆତଙ୍କବାଦୀ ସଙ୍ଗଠନର ତିନି ଆତଙ୍କବାଦୀ ଭାରତ ମଧ୍ୟରେ ଅନୁପ୍ରବେଶ କରିବା ସହ ସେନା ଉପରେ ଗୁଳିମାଡ କରିଥିଲେ । ଏହାର ପ୍ରତି ଜବାବରେ ଭାରତୀୟ ସୈନା ମଧ୍ୟ ଆତଙ୍କବାଦୀଙ୍କ ଉପରେ ଗୁଳି ବିନିମୟ କରିଛନ୍ତି ।
ସୂଚନାନୁଯାୟୀ , ଦୁଇ ପକ୍ଷରୁ ଗୁଳି ବିନିମୟ ଜାରି ରହିଥିବା ବେଳେ ସେନା ଆଖପାଖ ଅଞ୍ଚଳକୁ ନାକାବନ୍ଦୀ କରିବା ସହ ସର୍ଚ୍ଚ ଅପରେଶନ ଜାରି ରଖିଛନ୍ତି । ସାଧାରଣତନ୍ତ୍ର ଦିବସ ଥିବାରୁ ଭାରତ ମଧ୍ୟକୁ ଅନୁପ୍ରବେଶ କରି ଆତଙ୍କ ଖେଳାଇବାକୁ ଚେଷ୍ଟା କରୁଥିବା ଆତଙ୍କବାଦୀଙ୍କୁ ରୋକିବା ପାଇଁ ଘାଟିରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଦିଆଯାଇଛି । ତେବେ ଏହି ମଧ୍ୟରେ ତ୍ରାଲ ଅଞ୍ଚଳରେ ଆତଙ୍କୀମାନେ ଲୁଚିଥିବା ଖବର ମିଳିବା ପରେ ଭାରତୀୟ ସେନା ସେମାନଙ୍କୁ ଦମନ କରିବାକୁ ତତ୍କାଳ ସର୍ଚ୍ଚ ଅପରେଶନ ଆରମ୍ଭ କରିଛି। ତେବେ ଆତଙ୍କବାଦୀମାନେ ଗୋଟିଏ ଘରେ ଲୁଚି ରହିଥିବା ଖବର ଭାରତୀୟ ସେନା ଜାଣିବା ପରେ ଆଖପାଖ ଅଞ୍ଚଳରୁ ଘର ଖାଲି କରିବାକୁ ଲୋକମାନଙ୍କୁ ସେନା କହିଛି। ଏହି ଆତଙ୍କୀଙ୍କ ମଧ୍ୟରେ ଜଣେ ଆତଙ୍କୀ ଜୈଶ କମାଣ୍ଡର କାରୀ ୟାସିର ଥିବା ବେଳେ ଅନ୍ୟ ଜଣେ ଆତଙ୍କୀ ବୁରହାନ ଶେଖ ଥିବା ସୂଚନା ମିଳିଛି।