ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଓଡିଶା ପାଇଁ ଗର୍ବ ଆଣିଲେ ଓଡିଆ ପୁଅ ଗିରିଶ ମୁର୍ମୁ । ନବଗଠିତ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରର ପ୍ରଥମ ଉପ-ରାଜ୍ୟପାଳ ନିଯୁକ୍ତ ହୋଇଛନ୍ତି ଶ୍ରା ମୁର୍ମୁ । ଏହି ନୂଆ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ କଶ୍ମୀର ଉପରାଜ୍ୟପାଳ ଭାବେ ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ତାଙ୍କୁ ନିଯୁକ୍ତି ଦିଆଯାଇଛି । ଶ୍ରୀ ମୁର୍ମୁ ହେଉଛନ୍ତି ଗୁଜରାଟ କ୍ୟାଡର ୧୯୮୫ ମସିହା ବ୍ୟାଚ୍ ଅଇଏଏସ୍ ଅଧିକାରୀ ।
ସେ ବର୍ତ୍ତମାନ ଅର୍ଥମନ୍ତ୍ରଣାଳୟରେ ଏକ୍ସପେଣ୍ଡିଚର ସଚିବ ଦାୟିତ୍ୱରେ ଅଛନ୍ତି। ପୂର୍ବରୁ ନରେନ୍ଦ୍ର ମୋଦିଙ୍କ ମୁଖ୍ୟମନ୍ତ୍ରୀ ସମୟରେ ସେ ପ୍ରିନ୍ସିପାଲ ସେକ୍ରେଟାରୀ ଦାୟିତ୍ୱ ତୁଲାଇଥିଲେ। ଶ୍ରୀ ମୁର୍ମୁଙ୍କର ଜନ୍ମସ୍ଥାନ ହେଉଛି ମୟୁରଭଞ୍ଜ ବେତନଟୀ । ସେ ଉତ୍କଳ ବିଶ୍ୱ ବିଦ୍ୟାଳୟରୁ ରାଜନୀତିକ ବିଜ୍ଞାନରେ ପିଜି କରିଛନ୍ତି।
ଅନ୍ୟପଟେ ଜମ୍ମୁ କଶ୍ମୀର ରାଜ୍ୟପାଳ ଥିବା ସତ୍ୟପାଲ୍ ମଲିକ୍ଙ୍କୁ ଗୋଆ ରାଜ୍ୟପାଳ ଭାବେ ବଦଳି କରାଯାଇଥିବା ବେଳେ ନୂଆ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖର ଉପରାଜ୍ୟପାଳ ଭାବେ ରାଧାକୃଷ୍ଣ ମାଥୁରଙ୍କୁ ନିଯୁକ୍ତି ଦିଆଯାଇଛି । ସେହିଭଳି କେରଳ ବିଜେପି ସଭାପତି ପି ଏସ୍ ଶ୍ରୀଧରନ ପିଲ୍ଲାଇଙ୍କୁ ମିଜୋରାମ୍ର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ସୂଚନାଯୋଗ୍ୟ ଗତ ଅଗଷ୍ଟ ୫ ତରିଖରେ ୩୭୦ ପ୍ରତ୍ୟାହାର ସହ ଜମ୍ମୁ-କାଶ୍ମୀର ଓ ଲଦ୍ଦାଖ ପୃଥକ କେନ୍ଦ୍ର ଶାସିତ ରାଜ୍ୟରେ ପରିଣତ ହୋଇଥିଲେ ।