ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜୁନ୍ ୩୦ ପର୍ଯ୍ୟନ୍ତ ସମସ୍ତ ବୁକ୍ କରାଯାଇଥିବା ଟିକେଟକୁ ବାତିଲ କଲା ରେଲୱେ । କିନ୍ତୁ ବୁକ୍ ହୋଇଥିବା ଟିକେଟର ଟଙ୍କା ଫେରସ୍ତ କରିବ ରେଲୱେ । ଅନ୍ୟପଟେ ସମସ୍ତ ସ୍ପେଶାଲ ଟ୍ରେନ ଏବଂ ଶ୍ରମିକ ଏକ୍ସପ୍ରେସ ଟ୍ରେନ୍ ଚାଲିବ ବୋଲି ରେଲୱେ ପକ୍ଷରୁ ସୂଚନା ମିଳିଛି ।
ରେଳ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି କି, ଜୁନ୍ ୩୦ ପର୍ଯ୍ୟନ୍ତ ବୁକ୍ କରାଯାଇଥିବା ସମସ୍ତ ଟିକେଟ ବାତିଲ କରାଯାଇଛି । ଏହାର ସମସ୍ତ ଟଙ୍କା ଫେରସ୍ତ କରାଯିବ । ମାତ୍ର ଶ୍ରମିକ ମାନଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ୍ ସଂଚାଳିତ ହେବ । ଲକ୍ ଡାଉନ୍ ଅବଧି ବେଳେ ଯେତେବେଳେ ରେଲୱେ ଜୁନ୍ ପାଇଁ ଟିକେଟ ବୁକ୍ ର ଅନୁମତି ଦେଇଥିଲା, ସେହି ସମୟରେ ଯେଉଁ ଟିକେଟ ବୁକ୍ ହୋଇଥିଲା ତାକୁ ଏବେ ବାତିଲ କରାଯାଇଛି ।
ଯାତ୍ରୀଙ୍କ ପାଇଁ ମେ’ ମାସ ୧୨ ତାରିଖରୁ ୧୫ ଯୋଡା ସ୍ୱତନ୍ତ୍ର ଟ୍ରେନ ସେବା ଆରମ୍ଭ ହୋଇଛି । ଏନେଇ ରେଲୱେ ପକ୍ଷରୁ କୁହାଯାଇଛି କି, ଯେଉଁ ଯାତ୍ରୀଙ୍କର କରୋନା ଭାଇରସ ସହ ଜଡିତ ଲକ୍ଷଣ ଦେଖାଦେବ ସେମାନଙ୍କୁ ଯାତ୍ରା ପାଇଁ ଅନୁମତି ମିଳିବ ନାହିଁ । ସେମାନଙ୍କୁ ତାଙ୍କ ଟିକେଟର ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ କରାଯିବ । ଗୃହମନ୍ତ୍ରାଳୟ ଦ୍ୱାରା ଜାରି ଦିଶା-ନିର୍ଦ୍ଦେଶ ଅନୁସାରେ ସମସ୍ତ ଯାତ୍ରୀଙ୍କୁ ସ୍କ୍ରିନିଂ କରାଯିବ, କେବଳ ଯାହାଙ୍କ ଠାରେ ଲକ୍ଷଣ ପରିଲିକ୍ଷିତ ହେବ ନାହିଁ ସେମାନଙ୍କୁ ହିଁ ଯାତ୍ରା ପାଇଁ ଅନୁମତି ମିଳିବ । ଏହାସହିତ ପୂର୍ବରୁ ମାନେ ମାର୍ଚ୍ଚ ୨୧ ପରେ ବୁକ୍ ହୋଇଥିବା ସମସ୍ତ ଟିକେଟକୁ ବାତିଲ କରିଛି ରେଲୱେ ଏବଂ ରିଫଣ୍ଡର ଗାଇଡ ଲାଇନ୍ ଜାରି କରିଛି ।