ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଶେଷ ହେବାକୁ ଯାଉଛି ବର୍ଷ ୨୦୨୨ । ଜାନୁଆରୀରୁ ଆରମ୍ଭ ହୋଇଯିବ ୨୦୨୩ । ନୂତନ ମାସ ସର୍ବଦା ନୂତନ ପରିବର୍ତ୍ତନ ନେଇ ଆସିଥାଏ । ଯାହା ସାଧାରଣ ଜନତାଙ୍କ ପାଇଁ ମହତ୍ୱପୂର୍ଣ୍ଣ । ଏହାର ସିଧା ପ୍ରଭାବ ଲୋକଙ୍କ ପକେଟ ଉପରେ ପଡିଥାଏ । ସେହିଅନୁଯାୟୀ ୧ ଜାନୁଆରୀ ୨୦୨୩ ରୁ ମଧ୍ୟ କିଛି ଜରୁରୀ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି । ଏଥିରେ କ୍ରେଡିଟ କାର୍ଡ, ବ୍ୟାଙ୍କ ଲକର, ଜିଏସଟି ଇ-ଇନଭଏସ ଏବଂ ଗାଡି ଦାମ୍ ସାମିଲ ଅଛି ।
ବ୍ୟାଙ୍କ ଲକର: ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କ ଲକର ସମ୍ବନ୍ଧୀୟ ନୂତନ ନିର୍ଦ୍ଦେଶ ଜାରି କରାଯାଇଛି । ଏହି ନିୟମ ୧ ଜାନୁଆରୀ ୨୦୨୩ ରୁ ଲାଗୁ ହୋଇଯିବ । ଏହି ନିୟମ ଲାଗୁ ହେବା ପରେ ଲକର ପ୍ରସଙ୍ଗରେ ବ୍ୟାଙ୍କ ଏବେ ଗ୍ରାହକଙ୍କ ସହିତ ମନମାନୀ କରିପାରିବେ ନାହିଁ । ଯଦି ବ୍ୟାଙ୍କ ଲକର ରେ ରଖାଯାଇଥିବା ଜିନିଷକୁ କୌଣସି ପ୍ରକାରର କ୍ଷତି ପହଁଚୁଛି ତେବେ ଏଥିପାଇଁ ବ୍ୟାଙ୍କ ଏହାର ଉତ୍ତର ଦେବ । ବ୍ୟାଙ୍କ ଏବଂ ଗ୍ରାହକ ମଧ୍ୟରେ ଏଗ୍ରୀମେଣ୍ଟ ସାଇନ ହେବ । ଏହା ୩୧ ଡିସେମ୍ବର ଯାଏଁ ବୈଧ ରହିବ । ବ୍ୟାଙ୍କକୁ ଗ୍ରାହକଙ୍କ ଲକର ସହ ଜଡିତ ନିୟମରେ ପରିବର୍ତ୍ତନ ନେଇ ସମସ୍ତ ସୂଚନା ଏସଏମଏସ ଏବଂ ଅନ୍ୟ ଜରିଆରେ ଦେବାକୁ ହେବ ।
କ୍ରେଡିଟ କାର୍ଡ: କ୍ରେଡିଟ କାର୍ଡ ବ୍ୟବହାରକାରୀଙ୍କ ପାଇଁ ମଧ୍ୟ ୧ ଜାନୁଆରୀ ୨୦୨୩ ରୁ ନିୟମରେ ପରିବର୍ତ୍ତନ ହେବ । ଏହି ପରିବର୍ତ୍ତନ କ୍ରେଡିଟ କାର୍ଡ ରେ ପେମେଣ୍ଟ ଜରିଆରେ ମିଳୁଥିବା ରିୱାର୍ଡ ପଏଣ୍ଟ ସହ ସମ୍ବନ୍ଧିତ । ନୂଆବର୍ଷରୁ ଏଚଡିଏଫସି ବ୍ୟାଙ୍କ ତାର କ୍ରେଡିଟ କାର୍ଡ ରେ ପେମେଣ୍ଟ ଉପରେ ମିଳୁଥିବା ରିୱାର୍ଡ ପଏଣ୍ଟସରେ ପରିବର୍ତ୍ତନ କରିବାକୁ ଯାଉଛି । ଏହାରି ମଧ୍ୟରେ ଗ୍ରାହକଙ୍କୁ କୁହାଯାଇଛି କି , କ୍ରେଡିଟ କାର୍ଡରେ ଥିବା ସମସ୍ତ ରିୱାର୍ଡ ପଏଣ୍ଟର ପେମେଣ୍ଟ ୩୧ ଡିସେମ୍ବର ୨୦୨୨ ସୁଦ୍ଧା କରିବାକୁ ହେବ । ୧ ଜାନୁଆରୀ ୨୦୨୩ ରୁ ନୂତନ ନିୟମ ଅନୁଯାୟୀ ରିୱାର୍ଡ ପଏଣ୍ଟର ସୁବିଧା ଦିଆଯିବ ।
ପେଟ୍ରୋଲ-ଡିଜେଲ ଦାମ୍: ପ୍ରତ୍ୟେକ ମାସରେ ତୈଳ କମ୍ପାନୀ ପକ୍ଷରୁ ପେଟ୍ରୋଲ-ଡିଜେଲର ଦର ନିର୍ଦ୍ଧାରିତ କରାଯାଇଥାଏ । ଗତ କିଛି ମାସ ହେବ ଦେଶରେ ପେଟ୍ରୋଲ ଡିଜେଲ ଦର ସ୍ଥିର ରହିଛି । ଡିସେମ୍ବର ଶେଷ ତାରିଖରେ କମ୍ପାନୀ ତାର ତୈଳ ଦରରେ ପରିବର୍ତ୍ତନ କରିପାରେ ବୋଲି କୁହାଯାଉଛି । ପରିବର୍ତ୍ତନ ହେବ କି ନାହିଁ ତାହା ୧ ଜାନୁଆରୀ ୨୦୨୩ ରେ ହିଁ ଜଣାପଡିବ । ଏହାସହିତ ଏଲପିଜି ଘରୋଇ ଗ୍ୟାସ ସିଲିଣ୍ଡର ଦାମରେ ମଧ୍ୟ ପରିବର୍ତ୍ତନ ହୋଇପାରେ ।
ଗାଡି କିଣିବା ମହଙ୍ଗା: ନୂଆବର୍ଷରୁ ଗାଡି କିଣିବା ମହଙ୍ଗା ହୋଇପାରେ । ପ୍ରମୁଖ ଅଟୋମୋବାଇଲ କମ୍ପାନୀ ଗୁଡିକ ସେମାନଙ୍କ ନୂତନ ଗାଡିର ଦାମରେ ବୃଦ୍ଧି ପାଇଁ ଘୋଷଣା କରିଛନ୍ତି ।
ଜିଏସଟିର ଇ-ଇନଭଏସ; ଜିଏସଟିର ଇ-ଇନଭଏସ ବା ଇଲେକ୍ଟ୍ରିକ ବିଲ ସହ ଜଡିତ କିଛି ନିୟମରେ ମଧ୍ୟ ନୂଆବର୍ଷରେ ପରିବର୍ତ୍ତନ ହେବ ।