ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ତାମିଲନାଡୁ ଏଆଇଏଡିଏମକେ ର ବିଧାୟକ ଆର.କନଗରାଜଙ୍କ ଆଜି ପରଲୋକ ଘଟିଛି । ଅଚାନକ୍ ହୃଦଘାତ ଯୋଗୁଁ ତାଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା । ସେ ତାମିଲନାଡୁ ସୁଲୁର ବିଧାନସଭା ସିଟ୍ ରେ ବିଧାୟକ ଥିଲେ ।
କନକରାଜ ଆଜି ସକାଳୁ ତାଙ୍କ ଘରେ ଖବର କାଗଜ ପଢୁଥିଲେ । ସେହି ସମୟରେ ତାଙ୍କୁ ହାର୍ଟ ଆର୍ଟାକ ହୋଇଥିଲା । ଏହାପରେ ପରିବାର ଲୋକେ ତାଙ୍କୁ ତୁରନ୍ତ ହସ୍ପିଟାଲ ନେଇଯାଇଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।
ବର୍ଷ ୨୦୧୬ ରେ କନଗରାଜ ବିଧାନସଭା ନିର୍ବାଚନରେ ସୁଲୁର ବିଧାନସଭା ସିଟ ରୁ ୩୬ ହଜାର ଭୋଟରେ ଜିତି ବିଧାୟକ ହୋଇଥିଲେ । ତାଙ୍କ ମୃତ୍ୟୁ ପରେ ଡିଏମକେ ପ୍ରମୁଖ ତାଙ୍କ ଦଳ ପକ୍ଷରୁ ଶୋକ ବ୍ୟକ୍ତ କରିଛନ୍ତି । ସୁଲୁର ବିଧାନସଭାରୁ ପ୍ରଥମଥର କନଗରାଜ ବିଧାୟକ ହୋଇଥିଲେ । ସେ ଗତ ୩୫ ବର୍ଷ ରୁ ଦଳରେ ରହିଥିଲେ ।
ତାଙ୍କ ମୃତ୍ୟୁ ଖବର ପ୍ରକାଶ ପାଇବା ପରେ ରାଜ୍ୟରେ ୨୨ ସିଟ୍ ଖାଲି ହୋଇଯାଇଛି । ରାଜ୍ୟର ୧୮ ବିଧାନସଭା ସିଟ୍ ରେ ନିର୍ବାଚନ ଆୟୋଗ ପକ୍ଷରୁ ଉପନିର୍ବାଚନ ଘୋଷିତ କରାଯାଇଛି । ଏହି ଉପନିର୍ବାଚନ ଅପ୍ରିଲ ୧୮ ରେ ଲୋକସଭା ନିର୍ବାଚନ ସହିତ ହେବ ।