ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସହ ସମକକ୍ଷ ହୋଇଛନ୍ତି ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଭାବରେ ବିଦେଶ ପରିଭ୍ରମଣ କରିବାରେ ସେ ମନମୋହନ ସିଂହଙ୍କ ସହ ବରାବର ହୋଇଛନ୍ତି । ମନମୋହନ ସିଂହ ୧୦ ବର୍ଷ ପ୍ରଧାନ ମନ୍ତ୍ରୀ ଥିବା ବେଳେ ୯୩ ଥର ବିଦେଶ ଯାତ୍ରା କରିଥିଲେ । କିନ୍ତୁ ମୋଦି ୫ ବର୍ଷରେ ୯୩ ଥର ବିଦେଶ ଯାତ୍ରା କରିଛନ୍ତି । ସେ ଶେଷଥର ପାଇଁ ଦକ୍ଷିଣ କୋରିଆ ଗସ୍ତ କରିଛନ୍ତିି । ଯାହାକି ଆଜି ଶେଷ ହୋଇଯାଇଛି । ଏହା ହେଉଛି ପ୍ରଧାନମନ୍ତ୍ରୀ ଭାବରେ ଶେଷ ଅଫିସିଆଲ ଯାତ୍ରା । ତେବେ ମୋଦି ଶତକଠାରୁ ଆଉ ମାତ୍ର ୭ଟି ପାଦ ପଛରେ ରହିଯାଇଛନ୍ତି ।
ଦକ୍ଷିଣ କୋରିଆ ଗସ୍ତ ପୂର୍ବରୁ ତାଙ୍କର ୯୨ଟି ବିଦେଶ ଗସ୍ତ ହୋଇଥିଲା । ଯେଉଁଠି ପାଇଁ ଖର୍ଚ୍ଚ ହୋଇଛି ୨୦୨୧ କୋଟି ଟଙ୍କା । ତେବେ ୟୁପିଏ-୧ ସରକାରରେ ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ୫୦ ଥର ବିଦେଶ ଯାତ୍ରାରେ ୧୩୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା।ମୋଦି ପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଠାରୁ ଏହି ମାମଲାରେ ପଛରେ ରହିଯାଇଛନ୍ତି। ସେ ୧୬ ବର୍ଷରେ ୧୧୩ ଥର ବିଦେଶ ଗସ୍ତ କରିଥିଲେ। ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ୪୮ ଥର ବିଦେଶ ଗସ୍ତ କରିଛନ୍ତି। ସେହିଭଳି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ୧୯୪୭ରୁ ନେଇ ୧୯୬୨ ମଧ୍ୟରେ ୬୮ ଥର ବିଦେଶ ଗସ୍ତ କରିଥିଲେ। ମୋଦିଙ୍କ ବିଦେଶ ଗସ୍ତକୁ ନେଇ ସବୁବେଳେ କଂଗ୍ରେସ ସମାଲୋଚନା କରି ଆସୁଛି ।