ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସାଧାରଣ ନିର୍ବାଚନର ବିଗୁଲ ନବାଜୁଣୁ ଏବେଠୁ ନିର୍ବାଚନୀ କୋଳାହଳ ଆରମ୍ଭ ହୋଇଗଲାଣି । ଜନତାଙ୍କଠାରୁ କିଭଳି ଭୋଟ୍ ହାତେଇବେ ସେ ନେଇ ଲାଗିପଡିଛନ୍ତି ରାଚନୈତିକ ଦଳ । ଇତି ମଧ୍ୟ ବିମୁଦ୍ରିକରଣ, ଜିଏସଟି,ରାଫେଲ ପ୍ରସଙ୍ଗକୁ ନେଇ କଂଗ୍ରେସ ବିଜେପିକୁ ଘେରିବା ସହିତ ଋଣଛାଡ ଏବଂ ନ୍ୟୁନତମ ଆୟର କଥା କହି ଜନତାଙ୍କୁ ପ୍ରଲୋଭନ ଦେଖାଇବାର ପ୍ରୟାସ ଚଳାଇଛି । ନିର୍ବାଚନ ପୂର୍ବରୁ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ରାଜନୀତିରେ ଏଣ୍ଟ୍ରି କରାଇବା ଏହା କଂଗ୍ରେସ ଏକ ପ୍ରକାର ମାଷ୍ଟରଷ୍ଟ୍ରୋକ୍ ବୋଲି କୁହାଯାଉଛି । ଦଳରେ ପ୍ରିୟଙ୍କାଙ୍କୁ ମହାସଚିବ ଭାବେ ନିଯୁକ୍ତି କରାଯିବ ସହ ପୂର୍ବ ଉତ୍ତରପ୍ରଦେଶର ଦାୟିତ୍ୱ ଦିଆଯାଇଛି । ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ମୁତାବକ, ପ୍ରିୟଙ୍କାଙ୍କ ଭୂମିକା କେବଳ ଉତ୍ତର ପ୍ରଦେଶ ଯାଏଁ ସିମୀତ ରହିବ ନାହିଁ ବରଂ ସେ ସାରା ଦେଶରେ କଂଗ୍ରେସ ପାଇଁ କାମ କରିବେ ।
ସାଧାରଣ ନିର୍ବାଚନକୁ ନେଇ ରାହୁଲ ଗାନ୍ଧୀ ଅନ୍ତରୀଣ ବଜେଟ୍ ଏବଂ ପ୍ରିୟଙ୍କାଙ୍କ ଭୂମିକା ଉପରେ ମତବ୍ୟକ୍ତି କରିଛନ୍ତି । ସେ କହିଛନ୍ତି କି ମହାସଚିବ ଭାବେ ପ୍ରିୟଙ୍କା ଗାନ୍ଧୀଙ୍କର ରାଷ୍ଟ୍ରୀୟ ଭୂମିକା ରହିଛି, ମୁଁ ଏବେ ତାଙ୍କୁ ଗୋଟେ ଟାକ୍ସ ଦେଇଛି, ପ୍ରଥମ ଟାକ୍ସର ସଫଳତା ପରେ ଯାଇ ଦ୍ୱିତୀୟ ଟାକ୍ସ ଦିଆଯିବ ।
ସେ କହିଛନ୍ତି କି ଦେଶର ପୂର୍ବାଞ୍ଚଳରେ ପାର୍ଟିର ବିସ୍ତାର କରିବା ମୋ ଉଦ୍ଦେଶ୍ୟ ଥିଲା । ଏଥିରେ ବିହାର, ପଶ୍ଚିମବଙ୍ଗ ଏବଂ ପୂର୍ବ ଉତ୍ତରପ୍ରଦେଶ ସାମିଲ ଅଛି । ଏହା କୌଣସି ଛୋଟ କାମ ନୁହେଁ । ଏହାପୂର୍ବରୁ ଜାନୁଆରୀ ୨୫ ଭୁବନେଶ୍ୱରରେ ରାହୁଲ କହିଥିଲେ କି ପ୍ରିୟଙ୍କାଙ୍କୁ ରାଜନୀତିରେ ଏଣ୍ଟ୍ରି କରିବାର ନିଷ୍ପତି ଦଶ ଦିନ ମଧ୍ୟରେ ହୋଇ ନାହିଁ ବରଂ ବର୍ଷେ ପୂର୍ବରୁ ହିଁ ନିଷ୍ପତି ନିଆଯାଇଥିଲା । ପ୍ରିୟଙ୍କାଙ୍କ ପିଲା ଛୋଟ ଥିଲେ ସେଥିପାଇଁ ତାଙ୍କର ରାଜନୀତିରେ ଆସିବା ଡେରୀ ହେଲା ।
ସବୁଠୁ ବଡ କଥା ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜବାଦୀ ପାର୍ଟି ସହିତ ଗଠବନ୍ଧନ ନହେବା ପରେ କଂଗ୍ରେସ ଏକାକି ଲଢିବାର ନିଷ୍ପତି ନେଇଥିଲା ।