ଭୁବନେଶ୍ୱର ( ଏଟିଆର ବ୍ୟୁରୋ ) : ଭାରତରେ ଏଇ ତିନିଦିନ ହେଲା କରୋନା ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ଲଗାତାର ଭାବେ ବଢି ଚାଲିଛି । ଯାହାକୁ ରୋକିବା ଏବେ ଭାରତ ପାଇଁ କାଠିଗର ପାଠ ହୋଇ ପଡିଛି । ଆଜି ଲକ ଡାଉନର ଦଶମ ଦିନ ହୋଇଥିଲେ ମଧ୍ୟ କରୋନା କମିବାର ନାଁ ନେଉନି । ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନିୟମକୁ ଆହୁରି ଅଧିକ କଡାକଡି କରିବାକୁ କେନ୍ଦ୍ର ସରକାର ଏବେ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି । ଯଦି କେହି ଲକ ଡାଉନ ନିୟମକୁ ଉଲଘଂନ କରୁଛି ତେବେ ତାକୁ ତୁରନ୍ତ ଗିରଫ କରିବା ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି।
କେନ୍ଦ୍ର ସ୍ୱରାଷ୍ଟ୍ର ସଚିବ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି। ଲକ ଡାଉନ ଗାଇଡ଼ ଲାଇନ ଅନୁସାରେ ଲକ ଡାଉନ ଉଲଘଂନ କାରୀଙ୍କୁ ଆଇପିସି ଓ ବିପର୍ଯ୍ୟୟ ପରିଚଳନା ଆଇନ ୨୦୦୫ ଅନୁସାରେ ବୁକ କରିବାକୁ ନିର୍ଦେଶ ଦିଆଯାଇଛି।
ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୨୪ ତାରିଖରେ ଦେଶକୁ ଲକ ଡାଉନ ଘୋଷଣା କରାଯାଇଥିଲା । କେବଳ ଜରୁରୀକାଳୀନ ସେବାକୁ ଛାଡିଦେଲେ ବିନା କାରଣରେ ଲୋକମାନେ ଘରୁ ପାଦ ନ କାଢ଼ିବାକୁ କୁହାଯାଇଥଲା । ମାତ୍ର କିଛି ଲୋକ ଏବେ ଏହାକୁ ଖୋଲାଖୋଲି ଭାବେ ଉଲଘଂନ କରୁଛନ୍ତି । ପରିବା , କ୍ଷୀର, ମେଡିସିନର ବାହାନା ଦେଖାଇ ରାସ୍ତାରେ ଗାଡ଼ି ଧରି ବୁଲୁଥିବାର ଦେଖିବାକୁ ମିଳୁଛି। ସେଇ ଭଳି ସାମାଜିକ ଦୁରତାକୁ କିଛି ଲୋକ ପବନରେ ମଧ୍ୟ ଫୁ କରି ଦେଉଛନ୍ତି । ମାଛ, ମାଂସ ଦୋକାନରେ ଅସମ୍ଭବ ଭିଡ଼ ଦେଖିବାକୁ ମିଳୁଛି ।
ତେବେ ଏହାକୁ ରୋକିବା ପାଇଁ ରାଜ୍ୟ ସରକାର ଅଧିକରୁ ଅଧିକ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି । ଯେଉଁମାନେ ମିଥ୍ୟା ତଥ୍ୟ ଦେଇ ଖସି ଯିବାକୁ ଚେଷ୍ଟ କରୁଛନ୍ତି ସେମାନଙ୍କ ଉପରେ ମଧ୍ୟ କଡା କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି ।