ବ୍ରହ୍ମପୁର,(ଏଟିଆର ବ୍ୟୁରୋ): ମଦ ପାଇଁ ହେଉଛି ମହାଭାରତ । ଉପୁଜୁଛି ଅପ୍ରିତିକର ପରିସ୍ଥିତି । ବାଧ୍ୟ ହୋଇ ଆଇନକୁ ହାତକୁ ନେଉଛନ୍ତି ଲୋକେ । ଭଙ୍ଗାରୁଜା ପୋଡାଜଳା ଏପରିକି ବିଚ ରାସ୍ତାରେ ହଣାକଟା ହେଉଛି । ରାତି ପାହିଲେ ଏମିତି ଘଟଣା କେଉଁଠି ନାଁ କେଉଁଠି ନଜରକୁ ଆସୁଛି । ଯାହାପାଇଁ ହରଦମ ନାକେଦମ ହେଉଛି ପୁଲିସ । କିନ୍ତୁ ଦୁଃଖର କଥା ଏଥିପ୍ରତି ଆଦୌ ଚେତୁନି ଅବକାରୀ ବିଭାଗ । ମୋଟା ଅଙ୍କର ମାଲ ପକାଇ ବିଭାଗ ନାଇରେ ତେଲ ଦେଇ ଶୋଉଛି । ଆଉ ଏପଟେ ମଦ ବ୍ୟବସାୟୀମାନେ ସବୁ ଆଇନ କାନୁନକୁ ମାଡିମୋକଚି ନିଜ ଫାଇଦା ହାସଲରେ ବ୍ୟସ୍ତ । ଏମିତି ସଙ୍ଗିନ ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକର ରଣ୍ଢା ଅଞ୍ଚଳରେ ଥିବା ଏକ ଅଫସପ ଦୋକାନ ଉପରେ ।
ଟିକରଡ଼ା ରାସ୍ତାରେ ଥିବା ଅମ୍ବିକା ବିଦେଶୀ ମଦ ଦୋକାନ ଏବେ ନଛୋଡ ବନ୍ଧା । ଯାହାତ ଲୋକଙ୍କୁ ଠକୁଛି ଠକୁଛି ସେଥିରେ ପୁଣି ସେଠି ଯାବତୀୟ ଅଳିଆ ଧନ୍ଦା ହେଉଛି । ବେପାର କରିବା ଚକ୍କରେ ସବୁ ସୀମା ଟପିଯାଇଛି ଏହି କାଉଣ୍ଟର । ନିର୍ଦ୍ଧାରିତ ମୁଲ୍ୟଠୁ ଅଧିକ ଦାମ ନେଉଥିବା ଏହି କାଉଣ୍ଟର ଖାଲି କାଉଣ୍ଟର ହୋଇ ରହିନାହିଁ । ପାଲଟିଛି ଏକ ମିନିବାର । ବିଶ୍ୱାସ ଲାଗୁନଥିଲେ ମଧ୍ୟ କଥାଟା ଏକଦମ ସତ । ଅବକାରୀ ବିଭାଗର କେତେକ କର୍ମଚାରୀଙ୍କୁ ହାତ ଗୁଞ୍ଜା ଦେଇ ବେଧଡ଼କ ଚାଲିଛି ଏହି କାରବାର । ପ୍ରତିଟି ବୋଟଲରେ ଗ୍ରାହକଙ୍କଠୁ ୧୫/୨୦ଟଙ୍କା ଅଧିକ ନିଆଯାଉଛି । ଅଭିଯୋଗ ହୋଇଛି ଯଦି ଏନେଇ କେହି ବିଲ ମାଗୁଛି ତେବେ ଖୁଲମଖୁଲ୍ଲା ଧମକ ମିଳୁଛି । ତେବେ ଏତିକି ନୁହେଁ ସବୁଠୁ ବଡ଼ କଥା ହେଉଛି ଏହି କାଉଣ୍ଟରର ‘ଅଫ ସପ’ ପାଇଁ ଲାଇସେନ୍ସ ରହିଛି । ହେଲେ ଏହା ଭାଣ୍ଡାମି ମାତ୍ର ।
ବୋତଲ କିଣ ଆଉ ସେଇଠି ଠିପି ଖୋଲିବାର ସବୁ ପ୍ରକାର ବ୍ୟବସ୍ଥା ହୋଇଛି ଏଠାରେ । କାଉଣ୍ଟରକୁ ଲାଗି ବେଆଇନ ଭାବେ ଗୋଟିଏ ଭାଡି ତିଆରି ହୋଇଛି । ସେହି ଭାଡି ଭିତରେ ଖଞ୍ଜାଯାଇଛି ହାଲୋଜିନ ଲାଇଟ । ଠିପି ଖୋଲିବାକୁ ଯେମିତି କୌଣସି ଅସୁବିଧା ନହୁଏ ସେଥିପାଇଁ ପୂରା ଏରିଆ ଲାଇଟରେ ଝଲସୁଛି । ପାଖରେ ପୁଣି ଚାଖଣା ଲାଗି ସବୁ ସୁବିଧା କରିଛନ୍ତି କାଉଣ୍ଟର କର୍ମଚାରୀ । ଏବେ ଆମର ପ୍ରଶ୍ନ ଏଭଳି ବେଆଇନ କାରବାର ଉପରେ କାହିଁକି ଲାଗୁନି ରୋକ? ଘଟଣା ସମ୍ପର୍କରେ ଅବକାରୀ ବିଭାଗ ଜାଣିନି ନାଁ ମୋଟା ଅଙ୍କର ମାଲ ପାଇ ନଜାଣିବାର ଅଭିନୟ କରୁଛି? ଜାତୀୟ ରାଜପଥ କଡ଼ରେ ଥିବା ଏହି କାଉଣ୍ଟରକୁ କାହିଁକି ଏତେ ଅନୁକମ୍ପା? ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ରିପୋର୍ଟ କହୁଛି ବାରମ୍ବାର ଅଭିଯୋଗ କରି କରି ଲୋକେ ଥେଇଆ ହେଲେଣି ।
କିନ୍ତୁ ପ୍ରତିଥର କାର୍ଯ୍ୟାନୁଷ୍ଠାନ ନିଆଯିବାର ମିଛ ପ୍ରତିଶ୍ରୁତି ଦେଇ ଚୁପ ରହିଛି ଅବକାରୀ ବିଭାଗ । ସିଧା କହିବାକୁ ଗଲେ କାର୍ଯ୍ୟାନୁଷ୍ଠାନ ନେବା ବେଳକୁ ଅବକାରୀ ବିଭାଗ ହାତକୁ ଯେପରି ବାତ ମାରୁଛି । ସେପଟେ ଏହି ରାସ୍ତା ଦେଇ ହରଦମ ସ୍କୁଲ/କଲେଜ ଛାତ୍ରଛାତ୍ରୀ ଯାତାୟତ କରୁଛନ୍ତି । ମଦୁଆଙ୍କ ଭିଡ଼ ଜମୁଥିବାରୁ ଏଥିପାଇଁ ସେମାନେ ବହୁ ସମସ୍ୟା ଭୋଗୁଛନ୍ତି । ଆଇନ କହୁଛି ଅଫ ସପ ଆଗରେ କୌଣସି ଲୋକ ମଦ୍ୟପାନ କରିପାରିବ ନାହିଁ । କିନ୍ତୁ ଏଠି ଯେଉଁ ପ୍ରକାର ବ୍ୟବସ୍ଥା ହୋଇଛି ତାହା କୌଣସି ବାରଠୁ କିଛି କମନୁହେଁ । ତେଣୁ ଏହା ମଦୁଆଙ୍କୁ ବେଶ ସୁହାଉଛି ଓ ଭଲ ଇନକମ ବି କରୁଛନ୍ତି କାଉଣ୍ଟର ମାଲିକ ।
ତେବେ ଏହା ଉପରେ ତୁରନ୍ତ ବିଭାଗୀୟ ଅଧିକାରୀ ଦୃଷ୍ଟି ନଦେଲେ ଆଗକୁ ଏନେଇ ଏକ ତୁମୁଳକାଣ୍ଡ ଘଟିବାର ଆଭାସ ମିଳୁଛି । ତେଣୁ ସମୟ ଥାଉ ଥାଉ ସୁଧୁରିଯିବାକୁ ବୁଦ୍ଧିଜୀବୀ ମତ ଦେଇଛନ୍ତି । ରିପୋର୍ଟ: ନବୀନ ରାଜ