ଭୁବନେଶ୍ୱର,୧୫ା୨(ବ୍ୟୁରୋ): ଖୁବ୍ କମଦିନରେ ଅନେକ ସଫଳତା । ଢ଼େର ଉପଲବ୍ଧି । କେତେବେଳେ ମହିଳାଙ୍କୁ ସୁରକ୍ଷା ଯୋଗାଇଛି ତ’ଆଉ କେତେବେଳେ ଦୁର୍ଦ୍ଦାନ୍ତ ଅପରାଧୀଙ୍କ କବଳରୁ ବଞ୍ଚାଇଛି ଟ୍ୱିନ ସିଟି ବାସୀଙ୍କୁ । ଅତର୍କିତ ଚଢ଼ାଉ କରି ବହୁ ବେଆଇନ୍ କାର୍ଯ୍ୟ ଉପରେ ମଧ୍ୟ ରୋକ୍ ଲଗାଇଛି । ସେ ବେଆଇନ୍ ଗୁଟଖା କାରଖାନା ହେଉ ଅବା ମସାଜ୍ ନାଁରେ କୁଚ୍ଛିତ କାରବାର । ସବୁ କିଛି ରୋକ ଲଗାଇ ତାଲା ଝୁଲାଇଛି । ଚୋରା ବନ୍ଧୁକ କାରବାର ରାକେଟକୁ ମଧ୍ୟ ଠାବ କରିଛି । ଏତିକି ନୁହେଁ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଧରିବାକୁ ଯାଇ ଜୀବନକୁ ବାଜି ଲଗାଇ ଏନକାଉଣ୍ଟର କରିବାକୁ ମଧ୍ୟ ପଛାଇନାହିଁ । ବିଚ୍ ବଜାରେ ଗୋଡାଇ ଗୋଡାଇ ଗୁଳି କରି ଅପରାଧୀଙ୍କୁ ସାବାଡ୍ କରିଛି । ଏଭଳି ଜୋରଦାର ଅପରେସନ କରି ଖୁବ୍ କମ ଦିନରେ ସହରବାସୀଙ୍କ ଆଶା, ବିଶ୍ୱାସ ଓ ଭରସାକୁ ଅତୁଟ ରଖିପାରିଛି କମିଶନରେଟ ପୁଲିସର ସ୍ପେଶାଲ ସ୍କ୍ୱାଡ୍ । ରିପୋର୍ଟ କହୁଛି ଗତ ୬ମାସ ଭିତରେ ୫୦ରୁ ଅଧିକ ମାମଲାର ପର୍ଦ୍ଦାଫାସ କରିଛି ଟିମ୍ ।
ରାଜଧାନୀରେ ରହିଛି ୨୦ରୁ ଅଧିକ ଥାନା । ପ୍ରତି ଥାନା ଅଞ୍ଚଳରେ କେତେବେଳେ ନା କେଉଁଠି ଘଟୁଛି ଅଘଟଣ । ସେ ଚୋରି ହେଉ ଅବା ଡକାୟତୀ କି’ ଦୁଷ୍କର୍ମ । ସବୁ ଘଟଣା ପୁଲିସ ଲାଗି ମୁଣ୍ଡ ବିନ୍ଧାର କାରଣ ହେଉଥିଲା । ଯାହା ଉପରେ ରୋକ୍ ଲଗାଇବାକୁ ପୁଲିସ ଆରମ୍ଭ କରିଥିଲା ଏକ ସ୍ୱତନ୍ତ୍ର ଟିମ୍ । ଯାହାର ନାଁ ରହିଥିଲା ସ୍ପେଶାଲ ସ୍କ୍ୱାଡ୍ । ଏବେ ଏହି ସ୍କ୍ୱାଡ୍ ନାଁ ଶୁଣିଲେ ଅପରାଧୀଙ୍କ ବିପି ବଢ଼ିଯାଉଛି । କାରଣ ଗତ ୬ମାସ ଭିତରେ ଟିମ୍ ଯେତିକି ଘଟଣାର ପର୍ଦ୍ଦାଫାସ କରିଛି ସେଥିରେ କାଣିଚାଏ ବି ସଫଳତାର ସ୍ୱାଦ ଚାଖିନି ଥାନା ପୁଲିସ । ନିକଟରେ ଲକ୍ଷ୍ମୀସାଗର ଅଞ୍ଚଳରେ ଚଢ଼ାଉ କରି ଏକ ନକଲି ଜର୍ଦ୍ଦା କାରଖାନା ଠାବ କରିଥିଲା । ଯେଉଁଥିରେ ଫେଲ ମାରିଥିଲା ଲକ୍ଷ୍ମୀସାଗର ଥାନା ।
ସେହପରି ୫ଟି ଚୋରା ବନ୍ଧୁକ ମଧ୍ୟ ଠାବ କରିଛି ଟିମ୍ । ଏତିକି ନୁହେଁ ନିକଟରେ ୨ଟି ଏନକାଉଣ୍ଟର କରି ଅପରାଧୀଙ୍କ ହୋସ ଉଡାଇ ଦେଇଛି । ସବୁଠୁ ବଡ଼ କଥା ହେଉଛି ଦିପ୍ତି ମହାନ୍ତି ଭଳି ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ଠାବ କରିଥିଲା ଏହି ଟିମ୍ । ଯାହାର ସୁରାକ ବି ପୁଲିସ ପାଇ ପାରୁନଥିଲା । ରେପ୍ କେସ୍ ଭଳି ୨୧ଟି ସଙ୍ଗିନ୍ ମାମଲାରେ ଜଡିତ ଥିଲା ଦିପ୍ତି । ଟିମ୍ ହାତରେ ଦିପ୍ତି ଧରାପଡିବା ପରେ ଶାନ୍ତିରେ ନିଶ୍ୱାସ ମାରିଛନ୍ତି ସହରବାସୀ । ହରି ମେଁଟାଲ ଓ ଦିପୁ ଭଳି କୁଖ୍ୟାତ ଅପରାଧୀଙ୍କୁ ମଧ୍ୟ ଏନକାଉଣ୍ଟର କରି କବଜାକୁ ଆଣିଥିଲା ସ୍ପେଶାଲ ସ୍କ୍ୱାଡ୍ । ଏମାନେ ସାଲେପୁର ଏରିଆରେ ୭ଟି ଡକାୟତୀ କରି ପୁଲିସକୁ ଚକମା ଦେଇ ବୁଲୁଥିଲେ । କିନ୍ତୁ ସ୍ପେଶାଲ ସ୍କ୍ୱାଡ୍ ତାଙ୍କୁ ଖୁଆଡରେ ପୁରାଇଥିଲା । ହେମନ୍ତ ଦାସ ଓ ଦିପୁ ପଲେଇକୁ ଠାବ କରି ତ’ ସବୁଠି ଚର୍ଚ୍ଚାକୁ ଆସିଥିଲା ଟିମ୍ ।
ନକଲି ବନ୍ଧୁକ ଦେଖାଇ ଲୁଟ୍ କରୁଥିବା ଏକ ଗ୍ୟାଙ୍ଗକୁ ମଧ୍ୟ ଜେଲର ରାସ୍ତା ଦେଖାଇଥିଲା ଏହି ଟିମ୍ । ବିଗବଜାରରେ ଲୁଟ୍ କରିଥିବା ଗ୍ୟାଙ୍ଗକୁ ମଧ୍ୟ ଖୁବ କମ ଦିନରେ କବଜା କରିଥିଲା ସ୍ପେଶାଲ ସ୍କ୍ୱାଡ୍ । ଏହାସହ ଏକାଧିକବାର ଚୋରା ମଦ କାରବାର ଉପରେ ରୋକ୍ ଲଗାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି । ଏପରି ଗୋଟିଏ ପରେ ଗୋଟିଏ ଘଟଣାର ପର୍ଦ୍ଦାଫାସ କରି ଲୋକଙ୍କ ଆଶା ଜିତିଛି ସ୍ପେଶାଲ ସ୍କ୍ୱାଡ୍ । ଟିମର ନାଲି ଆଖିରେ ଚମକି ପଡିଛନ୍ତି ଏବେ ଅପରାଧୀ । ଏବେ ବି ଟିମର ଆଖି ସହରର ବିଭିନ୍ନ ଗଳିକନ୍ଦିରେ ଘୁରି ବୁଲୁଛି । ହେଲେ ଏସବୁ ଭିତରେ କେବେ ବି ଲକ୍ଷ୍ମଣ ରେଖା ଡେଇଁନାହିଁ ଟିମ୍ । ଆଇନ୍ କାନୁନ ଭିତରେ ରହି ସବୁ ସୁରକ୍ଷା ଯୋଗାଇଛି ବୋଲି ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ସ୍କ୍ୱାଡ୍ ମିଶନ ଆହୁରି ଲମ୍ବା । ବହୁତ ଆଗକୁ ଯିବାର ଅଛି । ଏଥିପାଇଁ ସହରବାସୀଙ୍କ ସହଯୋଗ ଆବଶ୍ୟକ । ଯଦି କୌଣସି ଅପରାଧୀଙ୍କ ସମ୍ପର୍କରେ ଆଭାସ ମିଳୁଛି ତୁରନ୍ତ ପୁଲିସକୁ ଯୋଗାଯୋଗ କରିବାକୁ ସେ ଜଣାଇଛନ୍ତି ।