ବ୍ରହ୍ମପୁର,(ଏଟିଆର ବ୍ୟୁରୋ): ଶେଷରେ ଫିଟିଲା ହତ୍ୟାକାଣ୍ଡର ଗୁମର । ପୂର୍ବ ଶତ୍ରୁତା ନୁହେଁ ବରଂ ଲୁଟ ପାଇଁ ଘଟିଥିଲା ସେହି ଜଘନ୍ୟ ହତ୍ୟାକାଣ୍ଡ । ଆମେ କହୁଛୁ ବ୍ରହ୍ମପୁର ସଦର ଥାନା ଅଞ୍ଚଳରେ ହୋଇଥିବା ମଦ ଦୋକାନ ସେଲ୍ସ ମ୍ୟାନ ହତ୍ୟା ଘଟଣା କଥା । ଯାହାର ଆଜି ପର୍ଦ୍ଦାଫାସ କରିଛି ବ୍ରହ୍ମପୁର ପୁଲିସ ।
ଘଟଣାରେ ଜଡିତ ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ସେମାନଙ୍କ ପାଖରୁ ନଗଦ ୧୫ହଜାର ଟଙ୍କା ସମେତ ହତ୍ୟାରେ ବ୍ୟବହୃତ ବାଉଁସ ଠେଙ୍ଗା, ପ୍ଲାଷ୍ଟିକ ପାଇପ ଓ ଲୁହାରଡ ଜବତ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଜଗଦଲପୁର ବଡବାଉରୀ ସାହିର ପିଣ୍ଟୁ ଦାସ, ମେଘା ଦାସ, ସନ୍ତୋଷ ଦାସ, ପିଣ୍ଟୁ ଓ ଛତ୍ରପୁର ଅଞ୍ଚଳର ବାଦଲ ଦାସ । ସମସ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।
ସମସ୍ତେ ନିଜ ଦୋଷ ସ୍ୱୀକାର କରିଥିବା ଏକ ପ୍ରେସମିଟ ମାଧ୍ୟମରେ ପୁଲିସ ସୂଚନା ଦେଇଛି । ରିପୋର୍ଟ ଅନୁସାରେ, ଗତ ୩ ତାରିଖ ବିଳମ୍ବିତ ରାତିରେ ବିଜୟ ଡାକୁଆ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିଲା । ମଦ ଦୋକାନରେ ସେଲ୍ସମ୍ୟାନ କାମ କରୁଥିବା ବିଜୟଙ୍କୁ କିଏ ଓ କାହିଁକି ହତ୍ୟା କଲା ସେନେଇ ତଦନ୍ତ ଆରମ୍ଭ କରିଥିଲା ପୁଲିସ । ଶେଷରେ ଗିରଫ ଅଭିଯୁକ୍ତଙ୍କ ସମ୍ପର୍କରେ ପୁଲିସକୁ ସୂଚନା ମିଳିଥିଲା ।
ବିଜୟ ସବୁଦିନ ଦୋକାନ ବନ୍ଦ କରି ଟଙ୍କା ନେଇ ଘରକୁ ଫେରୁଥିବା ଜାଣିଥିଲେ ହତ୍ୟାକାରୀ । ଖାସ ଏଥିପାଇଁ ସେମାନେ ଗତ ୩ ତାରିଖରେ ପୂରା ପ୍ଲାନିଂ କରିଥିଲେ । ଯୋଜନାମୁତାବକ ବିଜୟ ଫେରୁଥିବା ବେଳେ ଏମାନେ ତାଙ୍କୁ ହତ୍ୟା କରି ନଗଦ ୨୦ହଜାର ଟଙ୍କା ଲୁଟି ନେଇଥିବା ସୂଚନା ଦେଇଛନ୍ତି ଅତିରିକ୍ତ ଏସପି ଶାନ୍ତନୁ ଦାସ ।