ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ପୁଣି ନକ୍ସଲଙ୍କ ତାଣ୍ଡବ । ଝାଡଖଣ୍ଡର ବୁଢ଼ା ପାହାଡ ଅଞ୍ଚଳରେ ଘଟାଇଛନ୍ତି ଲ୍ୟାଣ୍ଡମାଇନ ବିଷ୍ଫୋରଣ । ଏଥିରେ ୬ଜଣ ଯବାନଙ୍କ ପ୍ରାଣ ଚାଲିଯାଇଛି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି । ତେବେ ଘଞ୍ଚ ଜଙ୍ଗଲ ଯୋଗୁ ସର୍ଚ୍ଚ ଅପରେସନରେ ସାମାନ୍ୟ ସମସ୍ୟା ଉପୁଜୁଥିବା ଜଣାପଡିଛି ।
ମିଳିଥିବା ରିପୋର୍ଟ ଅନୁସାରେ, ବୁଢ଼ା ପାହାଡରେ ଝାଡଖଣ୍ଡ ଜାଗୁଆର ଯବାନ ଅପରେସନ ଲାଗି ବାହାରିଥିଲେ । ସୂଚନା ଥିଲା ପାହାଡ଼ ପାଖରେ ରହିଛି ନକ୍ସଲ କ୍ୟାମ୍ପ । ତେବେ ବୁଢ଼ା ପାହାଡ଼ ସିଜୋ ଗାଁରେ ମାଓବାଦୀମାନେ ଲ୍ୟାଣ୍ଡମାଇନ ବିଷ୍ଫୋରଣ କରିଥିଲେ । ଫଳରେ ଆଖି ବୁଜିଥିଲେ ୬ଜଣ ଯବାନ । ଶୁଣିବାକୁ ମିଳୁଛି ବୁଢ଼ା ପାହାଡ଼ ନକ୍ସଲଙ୍କ ଗଡ଼ । ପାଦେ ପାଦେ ନକ୍ସଲ ଲାଣ୍ଡ ମାଇନ ଖଞ୍ଜିଛନ୍ତି । ସେଠାରେ ମାଓ କ୍ୟାମ୍ପ ମଧ୍ୟ ଚାଲୁଥିବାର ସୂଚନା ମିଳିଛି । ସୂଚନାଯୋଗ୍ୟ, ବୁଢ଼ା ପାହାଡ ଅଞ୍ଚଳଟି ୩ଟି ରାଜ୍ୟକୁ ଲାଗି ରହିଛି ।