ବାଲେଶ୍ୱର(ଏଟିଆର ବ୍ୟୁରୋ) ; ପୁଣି ଆଟାକ । ବିଚ ବଜାରରେ ଭୁଜାଲି ମାଡ । ସାମ୍ବାଦିକଙ୍କୁ ଗୋଡେଇ ଗୋଡେଇ ହାଣିଲେ ଚୋରା ମଦ ବେପାରୀ । ଏଭଳି ଅଭାବନୀୟ ଓ ଦୁଃଖଦ ଖବର ଆସିଛି ଭଦ୍ରକ ଜିଲ୍ଲା ବାସୁଦେବପୁରରୁ । ଦୈନିକ ଖବରକାଗଜ ସଂଚାର ପାଇଁ ବାସୁଦେବପୁର ବ୍ଲକ ପ୍ରତିନିଧି ଥିବା ପ୍ରମୋଦ ରାଉତଙ୍କୁ ହୋଇଛି ମରଣାନ୍ତକ ଆକ୍ରମଣ । ଚୋରା ମଦ ବ୍ୟବସାୟୀଙ୍କ ମୁଖା ଖୋଲିଯିବା ପରେ ତାଙ୍କ ଉପରେ ଏହି ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।
() ଭଦ୍ରକ ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଉଛି ଚୋରାମଦ କାରବାର । କିଛି ଲାଂଚୁଆ ପୁଲିସଙ୍କୁ ହାତଗୁଂଜା ଦେଇ ନିଜର କାୟା ମେଲାଉଛନ୍ତି ଚୋରା ମଦ ବେପାରୀ । ଯାହାକୁ ନେଇ ରିପୋର୍ଟ କରିଥିଲେ ସାମ୍ବାଦିକ ପ୍ରମୋଦ । ଆଉ ଏହାର ପରିଣାମ ଆପଣଙ୍କ ଆଖି ସାମ୍ନାରେ । ଥରେ ଭଲଭାବେ ଦେଖନ୍ତୁ ମେଡିକାଲ ବେଡରେ ପଡିରହିଥିବା ଏହି ସାମ୍ବାଦିକଙ୍କୁ । ସତ୍ୟର ଖୁଲାସା କରିବାରୁ ଗୋଡେଇ ଗୋଡେଇ ଭୁଜାଲି ରେ ତାଙ୍କୁ ହାଣି ପକାଇଛନ୍ତି ଚୋରା ମଦ ବ୍ୟବସାୟୀ ।
() ମୁମୁର୍ଷୁ ଅବସ୍ଥାରେ ସାମ୍ବାଦିକ ପ୍ରମୋଦଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଥିବା ବେଳେ ଏବେ ବି ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି । ତାଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଥିବା ବେଳେ ମରୁ ମରୁ ବଂଚିଛନ୍ତି ସାମ୍ବାଦିକ ପ୍ରମୋଦ ରାଉତ । ଗତ ମାସେ ତଳେ ଠିକ ଏଇ ଜିଲ୍ଲାରେ ସାମ୍ବାଦିକଙ୍କୁ ହୋଇଥିଲା ଆକ୍ରମଣ । ସୋର ଓ ବାଲିଆପାଳ ପରେ ପୁଣି ସେହି ଜିଲ୍ଲାର ବାସୁଦେବପୁରରେ ସାମ୍ବାଦିକଙ୍କୁ ହାଣି ଲହୁଲୁହାଣ କରାଯାଇଛି ।
() ଏବେ ପ୍ରଶ୍ନ ଉଠିଛି, ସାମ୍ବାଦିକଙ୍କ ପାଇଁ ଓଡିଶା ଅସୁରକ୍ଷିତ ବୋଲି ଘୋଷଣା କରିବେ କି ରାଜ୍ୟର ସାମ୍ବାଦିକ ସଂଘ? ପୁଣିଥରେ ରାଜରାସ୍ତାକୁ ଓହ୍ଲାଇବେ କି ସାମ୍ବାଦିକ ? ଆମେ ତ କହିବୁ, ଆଉ ଚୁପ ରହିବା କେତେଦିନ ? ଏଥର ନିରବ ପ୍ରତିବାଦ ନୁହେଁ, ଉଠ କଙ୍କାଳ, ଛିଡୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି । ବ୍ୟୁରୋ ରିପୋର୍ଟ, ଏଟିଆର ନ୍ୟୁଜ ।