ଭୁବନେଶ୍ୱର(ଏଟିଆର ବ୍ୟୁରୋ): ନିଜ ସ୍ତ୍ରୀଙ୍କୁ ୩୦୦ ଖଣ୍ଡ କାଟି ଟିଫିନରେ ରଖିଥିଲେ ସ୍ୱାମୀ । ତାଙ୍କୁ ଆଜି ଖୋର୍ଦ୍ଧା ଜିଲ୍ଲା ଜଜ୍ କୋର୍ଟ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି । ସେ ହେଉଛନ୍ତି କର୍ଣ୍ଣେଲ ସୋମନାଥ ପରିଡା । ସୂଚନା ଯୋଗ୍ୟ ଗତ ୨୦୧୩ ମସିହା ଜୁନ ୨୧ ତାରିଖରେ ଏହି ଚର୍ଚ୍ଚିତ ହତ୍ୟାକାଣ୍ଡ ଘଟିଥିଲା । ନୟାପଲ୍ଲୀ ଅଞ୍ଚଳରେ ରହୁଥିବା ସୋମନାଥ ନିଜ ଘରେ ହିଁ ନିଜ ସ୍ତ୍ରୀଙ୍କୁ ହତ୍ୟା କରି ୩୦୦ ଖଣ୍ଡ କରି ଦେଇଥିଲେ । ଏହା ସହ ୨୧ ଟି ଷ୍ଟିଲ ଟିଫିନ ଭିତରେ ପୁରାଇ ଦୁଇଟି ବଡ ବାକ୍ସ ଭିତରେ ରଖିଥିଲେ ।
ତେବେ କର୍ଣ୍ଣଲ ସୋମନାଥଙ୍କ ଝିଅ ଫୋନ କରି ପଚାରିବାରୁ ସୋମନାଥ ତାଙ୍କ ସ୍ତ୍ରୀଙ୍କ ଦେହ ଖରାପ ଅଛି କହି ବାରମ୍ବାର ଫୋନ କାଟି ଦେଉଥିଲେ । ଏଥିରେ ତାଙ୍କ ଝିଅଙ୍କର ସନ୍ଦେହ ସୃଷ୍ଟି ହୋଇଥିଲା । ତାଙ୍କ ଝିଅ ସମ୍ପକୀୟଙ୍କୁ ଘରକୁ ଯିବା ପାଇଁ କହିବା ସହ ପୋଲିସରେ ଖବର ଦେଇଥିଲେ । ପୋଲିସ ଯାଇ ସେଠାରେ ଛାନଭିନ କରିବାରୁ ଘଟଣାଟି ସାମ୍ନାକୁ ଆସିଥିଲା । ତେବେ ହତ୍ୟା ଘଟଣାକୁ ଲୁଚାଇବା ପାଇଁ ସୋମନାଥ ସବୁ ପ୍ରକାରର ଆୟୋଜନ ମଧ୍ୟ କରିଥିଲେ । ପୋଲିସ ତାଙ୍କ ଘରୁ ଆରି, କରତ, ୨୫ ବତଲ ଫିନାଇଲ, ଏସିଡ ବୋତଲ ଜବତ କରିଥିଲା । ଏହି ଘଟଣାରେ ମୋଟ ୨୯ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରିଥିଲା ପୋଲିସ ।