ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ନୁଆପଡ଼ା ଓ କଳାହାଣ୍ଡି ଜିଲ୍ଲାରେ ଜାଲନୋଟ କାରବାରରେ ସଂପୃକ୍ତ ଥିବା ୫ଜଣ ଦଲାଲଙ୍କୁ ଗିରଫ କରିଛି ପୁଲିସ । ସେମାନଙ୍କଠାରୁ ୧୧୨ଟି ଶହେ ଟଙ୍କିଆ ଜାଲ ନୋଟ ଜବତ କରାଯାଇଥିବା ସୂଚନା ମିଳିଛି । ଦୁଇ ଜିଲ୍ଲାରେ ଏକ ଗ୍ୟାଙ୍ଗ ବହୁ ଦିନରୁ ସକ୍ରୀୟ ଥିବା ପୁଲିସ ଜାଣିବାକୁ ପାଇଥିଲା । ଖବର ମିଳିବା ମାତ୍ରେ ନୁଆପଡ଼ା ପୁଲିସ ଚାଲଣପଡ଼ା ଅଞ୍ଚଳରେ ଚଢ଼ଉ କରି ଦମୋଦର ଚାଲାଣ ଓ ରାମାଶ୍ୱର ବାଗକୁ ଗିରଫ କରିଥିଲା । ସେମାନଙ୍କ ପାଖରୁ ୪୫ଟି ଶହେ ଟଙ୍କିଆ ଜାଲନୋଟ ପୁଲିସ ଜବତ କରିଛି ।
ଅଭିଯୁକ୍ତ ଦ୍ୱୟଙ୍କୁ ଜେରା ବେଳେ ଅନ୍ୟ ସହଯୋଗୀଙ୍କ ଠିକଣା ପାଇଥିଲା ପୁଲିସ । କଳାହାଣ୍ଡିର ଛିଛିଆ ଓ ଟେମେରୀ ଅଞ୍ଚଳରେ ଚଢ଼ଉ କରି ପୁଲିସ ଅନ୍ୟ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନେ ହେଲେ ଭବାନୀ ଶଙ୍କର ବାଗ, ସନ୍ତୋଷ ସାରଫ ଓ ଅରବିନ୍ଦ ବାଗ । ସେମାନଙ୍କ ନିକଟରୁ ପୁଲିସ ୬୭ଟି ଜାଲନୋଟ ଜବତ କରିଥିବା ଜଣାପଡିଛି । ଖାଲି ଏତିକି ନୁହେଁ ପୁଲିସ ପଚରାଉଚରା ବେଳେ ଅଭିଯୁକ୍ତଙ୍କ ନେଟୱାର୍କ ସମ୍ପର୍କରେ ଜାଣିବାକୁ ପାଇଥିଲା । ପରେ ଖରିଆରରେ ଏକ କମ୍ପ୍ୟୁଟର ଦୋକନରେ ଚଢ଼ଉ କରି କମ୍ପ୍ୟୁଟର, ୫ଟି ମୋବାଇଲ, ଟଙ୍କା ଛପା ଉପକରଣ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିବା ସୂଚନା ମିଳିଛି ।