ଭୁବନେଶ୍ୱର( ଏଟିଆର ବ୍ୟୁରୋ): ବର୍ଷାକୁ ବିଦାୟ ଦେଇ ଆସିଛି ଶରତ । ଚାଲିଛି ପାର୍ବଣ ଋତୁ । ଧରା ପୃଷ୍ଠକୁ ଅବତରଣ କରିବେ ମହିଷା ମର୍ଦ୍ଧିନି ମା ଦୁର୍ଗା । ମାଙ୍କ ଆଗମନକୁ ନେଇ ଉତ୍ସବ ମୁଖର ହୋଇ ଉଠିଛି ଗାଁଠୁ ସହର । ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଇଁ ସଜବାଜ ଆରମ୍ଭ ହୋଇ ଗଲାଣି । ମାଙ୍କ ନିର୍ମିତ ପ୍ରତିମୂର୍ତ୍ତି ଦିନ ଦୁଇଦିନ ମଧ୍ୟରେ ଦୋ ମାଟିଆ ହେବ ।
ତେବେ ଏହି ଅବସରରେ ଆଜିଠୁ ରାଜ୍ୟର ବିଭିନ୍ନ ଶକ୍ତି ପୀଠରେ ଆରମ୍ଭ ହୋଇଛି ମା’ଙ୍କ ଷୋଡ଼ଶ ଉପଚାର ପୂଜା ନୀତି।ଏହି ଷୋଡ଼ଶ ଉପାଚାର ପୂଜା ବିଜୟାଦଶମୀ କାର୍ଯ୍ୟକ୍ରମ ବଳବତ୍ତର ହେବ। ପ୍ରତ୍ୟେକ ଦିନ ଜଗତଜନନୀ ମା ବିଭିନ୍ନ ବେଶରେ ସଜେଇ ହେବେ। ଏନେଇ କଟକ ଚଣ୍ଡି ମନ୍ଦିରରେ ମଧ୍ୟ ସ୍ୱତନ୍ତ୍ର ପୂଜା ବିଧି ଆରମ୍ଭ ହୋଇଛି । କଟକର ବିଭିନ୍ନ ଯୁବ ଗୋଷ୍ଠୀଙ୍କ ପକ୍ଷରୁ କଟକ ଚଣ୍ଡି ମନ୍ଦିରକୁ ପ୍ଲାଷ୍ଟିକ ଫୁଲ ମାଧ୍ୟମରେ ସଜା ଯାଇଛି । ଆଜିଠାରୁ ୧୯ ଦିନ ପର୍ଯ୍ୟନ୍ତ ମା କଟକ ଚଣ୍ଡି ଭକ୍ତ ମାନଙ୍କୁ ବିଭିନ୍ନ ବେଶରେ ଦର୍ଶନ ଦେବେ ।
ବେଶ ମଧ୍ୟରେ ରାଜରାଜେଶ୍ୱରୀ, ଷୋଡଶୀ, ଭୁବନେଶ୍ୱରୀ, ବଗଳାମୂଖୀ, କମଳା, ସରସ୍ୱତୀ, ଦକ୍ଷିଣକାଳୀ, ଗାୟତ୍ରୀ, ଉଗ୍ରତାରା, ଅନ୍ନପୂର୍ଣ୍ଣା, ଚାମୁଣ୍ଡା, ବନଦୁର୍ଗା, ମହାସରସ୍ୱତୀ, ମହାକାଳୀ, ଜୟଦୁର୍ଗା, ମହିଷମର୍ଦ୍ଦିନୀ, ଗଜଳକ୍ଷ୍ମୀ ଓ ଶ୍ୟାମାକାଳୀ ବେଶରେ ସଜାଇ ହେବେ ମା କଟକ ଚଣ୍ଡି । ତେବେ ଏହି ସାଜସଜକୁ ଦେଖିବା ପାଇଁ ଭକ୍ତ ମାନଙ୍କର ମନ୍ଦିର ପରିସରରେ ଭିଡ ଲାଗିବା ଆରମ୍ଭ ହୋଇ ଗଲାଣି ।