ଭଦ୍ରକ (ଏଟିଆର ବ୍ୟୁରୋ ) : ପିଲାଟି ଦିନରୁ ଗୋଟିଏ ଲକ୍ଷ୍ୟ । ମାରିବି ମାନେ ମାରିବି । ପୁରା ପରିବାରକୁ ସ୍ମାସ୍ କରିଦେବି । କାହାକୁ ଛାଡିବିନି । ବାପା, ମା, ଝିଅ କାହାରିକୁ ନୁହେଁ । ମୋ ମା’କୁ ପିଟିଛନ୍ତି । ତା ପେଟରେ ଶାବଳ ପକାଇ ଚଢ଼ିଛନ୍ତି । ତାକୁ ମାରିଛନ୍ତି । ଆଉ କଣ କରିଥାନ୍ତି । ମାରିଛି, ପ୍ରତିଶୋଧ ନେଇଛି । ପୁଲିସ ପାଖରେ ଏମିତି ଚାଂଚଲ୍ୟକର ବୟାନ ଦେଇଛି ଭଦ୍ରକ ତାଳସିଠା ଗାଁରେ ଘଟିଥିବା ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋପୀନାଥ ମହାନ୍ତି ଓରଫ ବବୁଆ ।
ପୁଲିସକୁ ବବୁଆ କହିଛି, ମା ହତ୍ୟାର ପ୍ରତିଶୋଧ ନେବାକୁ ଅନେକ ଥରଚେଷ୍ଟା କରିଛି । ହେଲେ ସେ ସଫଳ ହୋଇ ପାରିନି । ଘଟଣାଦିନ ଭକ୍ତିଲତାଙ୍କ ସ୍ୱାମୀ ରବିଙ୍କ ନେଇ ବାହାରକୁ ଯାଇଥିଲା । ଉଭୟେ ମଦ ପିଇବା ପରେ ରବିଙ୍କ ହାତଗୋଡ ବାନ୍ଧି କାଳତିରା କେନାଲକୁ ଫିଙ୍ଗି ଦେଇଥିଲା ବବୁଆ । ପରେ ରବିର ଘର ସାମ୍ନାରେ ଥାଇ ରବି ଫୋନରୁ ଭକ୍ତିଲତାଙ୍କୁ ଫୋନ କରିଥିଲା । ଭକ୍ତିଲତା କବାଟ ଖୋଲିବା ପରେ ବବୁଆ ଏକ ଶିଳପୁଆରେ ତାଙ୍କୁ ଛେଚି ହତ୍ୟା କରିଥିଲା । ମାଙ୍କ ଚିକ୍ରାର ଶୁଣି ଭକ୍ତିଲତାଙ୍କ ଝିଅ ଚାଲି ଆସିବାରୁ ଝିଅର ହାତଗୋଡ ବାନ୍ଧି ଫେରାର ହୋଇ ଯାଇଥିଲା ଅଭିଯୁକ୍ତ ବବୁଆ । ତେବେ ପଡୋଶୀମାନେ ଘଟଣାସ୍ଥଳରେ ପହଂଚିବା ପରେ ସବୁ କଥା ପଦାକୁ ଆସିଥିଲା ।
ତେବେ ପୁଲିସ ନିକଟରେ ସତ ମାନିଛି ବବୁଆ । ପୁରା ପରିବାରକୁ ମାରି ଶେଷ କରି ଦେବାକୁ ସେ ବାରମ୍ବାର ସୁଯୋଗ ଖୋଜିଥିବା ପୁଲିସକୁ କହିଛି । ଖାଲି ସେତିକି ନୁହେଁ, ସେ ସେମାନଙ୍କର ଧରମ ପୁଅ ନୁହେଁ ବୋଲି ବି ପୁଲିସ ସମ୍ମୁଖରେ କହିଛି ।
ଅନ୍ୟପଟେ ଭକ୍ତିଲତାଙ୍କ ଝିଅକୁ ଦୁଷ୍କର୍ମ କରାଯାଇଥିବା କହିଛନ୍ତି ଭଦ୍ରକ ଏସପି ବାତୁଲା ଗଙ୍ଗାଧର । ବେଡ ଓ ସଂପୃକ୍ତ ରୁମ ରୁ ବାୟୋଲୋଜିକାଲ ସ୍ୟାମ୍ପଲ ମିଳିଥିବା ବେଳେ ଏହାକୁ ପରୀକ୍ଷା ପାଇଁ ଫରେନସିକ ଲ୍ୟାବକୁ ପଠାଯାଇଥିବା ସେ କହିଛନ୍ତି ।
ମାତ୍ର ୨୪ ଘଂଟା ମଧ୍ୟରେ ଭୁବନେଶ୍ୱର ଚନ୍ଦ୍ରଶେଖର ପୁର ଅଂଚଳରୁ ବବୁଆକୁ ଗିରଫ କରିଛି ପୁଲିସ । ଏମିତିରେ ପୁଲିସ ନିକଟରେ ବବୁଆ ଯେଉଁ ତଥ୍ୟ ରଖୁଛି, ତାହାର ସତ୍ୟତା ନେଇ ବି ଯାଂଚ ଚାଲିଛି ।
ନିଜେ ଏସପି ବାତୁଲା ଗଙ୍ଗାଧର ଏ ଦିଗରେ ନଜର ଦେଇଛନ୍ତି । ତେବେ ପ୍ରତି ମୁହୁର୍ତ୍ତରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଥିବା ବେଳେ ଆଗକୁ କେଉଁ ରୋଚକ ତଥ୍ୟ ପଦାକୁ ଆସୁଛି ତାହା ଉପରେ ସମସ୍ତଙ୍କର ନଜର ।