କଟକ ( ଏଟିଆର ବ୍ୟୁରୋ): ଆସନ୍ତା ୨୩ ତାରିଖରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ । ତୃତୀୟ ପର୍ଯ୍ୟାୟରେ ୬ ଲୋକସଭା ଆସନ ଓ ୪୨ ଟି ବିଧାନସଭା ପାଇଁ ହେବ ମତଦାନ । ଯାହାକୁ ଆଖି ଆଗରେ ରଖି ତିନି ପ୍ରମୁଖ ରାଜନୈତିକ ଦଳ ପ୍ରଚାର ଜୋରଦାର କରିଛନ୍ତି । ଏହି ଅବସରରେ ଗତକାଲି ପୂର୍ବତନ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଉମା ଭାରତୀ ଦଳୀୟ ପ୍ରଚାର ପାଇଁ ଓଡିଶା ଗସ୍ତରେ ଆସିଥିଲେ । କଟକ ବିଜେପି ସକଳ୍ପ ସମାବେଶରେ ଯୋଗଦେଇ ଉମାଭାରତୀ ବିଜେଡିକୁ ଟାର୍ଗେଟ କରିଛନ୍ତି । ବିଜେଡିକୁ ଟାର୍ଗେଟ କରି ଉମା ନିଜ ବକ୍ତବ୍ୟରେ କହହିଛନ୍ତି ଯେ ଓଡିଶା ସରକାର ସବୁବେଳେ କେନ୍ଦ୍ରକୁ ଅସହଯୋଗ କରିଛନ୍ତି ।
ଏମିତି କି ମହାନଦୀ ଜଳ ବିବାଦ ବୈଠକରେ ନବୀନଙ୍କୁ ବିଭ୍ରାନ୍ତ କରାଯାଇଥିବା କଥା ଉମା ଉଠାଇଛନ୍ତି । ଯାହା ବର୍ତ୍ତମାନ ସବୁଠୁ ଅଧିକ ଚର୍ଚ୍ଚାର ବିଷୟ ପାଲଟିଛି । ସେହିଭଳି ନବୀନଙ୍କୁ ସମାଲୋଚନା କରି ଉମା କହିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି କେନେଡିଙ୍କ ପରିବାର ସହିତ ନବୀନଙ୍କ ସଂପର୍କ ରହିଥିଲେ ମଧ୍ୟ ତାଙ୍କ ବିଚାର ଆଉ ଚିନ୍ତା ଧାରାରେ ସେମିତି କିଛି ଆଧୁନିକ ଉନ୍ନତ ଚିନ୍ତାଧାରା ଦେଖା ଯାଉନାହିଁ । ଓଡିଶା ଏବେ ବହୁତ ଆଗରେ ରହିବା କଥା କିନ୍ତୁ ତାହା ହୋଇପାରିନି ବୋଲି ସେ କହିଥିଲେ । କଟକ ଚୌଦ୍ୱାର ବିଧାନସଭା ଆସନ ପାଇଁ ନିର୍ବାଚନ ପ୍ରଚାରରେ ଆସି ଉମା ଏହି ଅଭିଯୋଗ କରିଛନ୍ତି । ଆହୁରି ମଧ୍ୟ କହିଛନ୍ତି ପୋଲାଭରମ ଓ ମହାନଦୀ ବାବଦରେ ଓଡିଶାରେ ଗୁଜବ ସୃଷ୍ଟି କରାଯାଇଛି ।