ପୁରୀ(ଏଟିଆର ବ୍ୟୁରୋ):ପୁରୀ ବେଳାଭୁମିକୁ ଡେନମାର୍କର ଫେଡେରସନ ଅଫ ଏନଭରମେଣ୍ଟାଲ ଏଜୁକେସନ ବ୍ଲୁ ଫ୍ଲାଗ ମାନ୍ୟତା ପ୍ରଦାନ କରିବ । ଏଥି ପାଇଁ ପ୍ରଶାସନ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଗାନ୍ଧୀ ଘାଟରୁ ମେଫେୟାର ପର୍ଯ୍ୟନ୍ତ ଅଞ୍ଚଳକୁ ପାଇଲଟ ବ୍ଲୁ ଫ୍ଲାଗ ବିଚ ଭାବେ ଚିହ୍ନଟ କରାଯାଇଛି । ଏହି ଅଞ୍ଚଳର ଉନ୍ନତିକରଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଏଥିପାଇଁ କେନ୍ଦ୍ର ସରକାର ୧୫ କୋଟି ଟଙ୍କା ଯୋଗାଇ ଦେଇଛନ୍ତି । ତ୍ରିପୁରାରୁ ପ୍ରାୟ ୧୭ ଜଣ କାରିଗରି ବାଉଁଶରେ ବିଭିନ୍ନ ରକମର କାରୁକାର୍ଯ୍ୟ କରି ବେଳାଭୂମିକୁ ସଜାଇବାରେ ଲାଗିପଡିଛନ୍ତି । ଏହି ବାଉଁଶରେ ଏକ ପ୍ରକାରର ରସାୟନିକ ପ୍ରଲେପ ଦିଆଯାଇଛି । ଯାହା ଦ୍ୱାରା ଏହା ଲୁଣି ପାଣିରେ କ୍ଷତି ହେବ ନାହିଁ । ଏହି ବାଉଁଶ ଗୁଡିକ ମଧ୍ୟ ତ୍ରିପୁରାରୁ ଅଣାଯାଇଛି ।
ଏହି କାମକୁ ନୂଆ ବର୍ଷ ଭିତରେ ସାରିବାର ଯୋଜନା ରହିଛି । ପ୍ରାୟ ୮୦୦ ମିଟରର ଏହି ଅଞ୍ଚଳରେ ପର୍ଯ୍ୟଟନ ମାନଙ୍କ ବସିବା ଠାରୁ ଆରମ୍ଭ କରି ଶୌଚାଳୟ, ଷ୍ଟ୍ରିଟ ଲାଇଟ, ଚେୟାର, ଛତା ଲଗାଯିବାର କାମ ଆରମ୍ଭ କରାଯାଇଛି । ଏହି ଅଞ୍ଚଳରେ ମାଛ ଧରିବା, ଖୋଲାରେ ମଳତ୍ୟାଗ କରିବା, ଏଣେ ତେଣେ ଅଳିଆ ଆର୍ବଜନା ପକାଇବା ଆଦି କାର୍ଯ୍ୟକୁ ବାରଣ କରାଯାଇଛି । ଏହା ସହ ଜୀବନ ସୁରକ୍ଷା, ଜଳର ଉତ୍ତମ ଗୁଣବତ୍ତା ଓ ପରିବେଶ ପରିଚାଳନାର ମାନ ସହିତ ପରିବେଶ ଶିକ୍ଷାର ସଚେତନତା ସୃଷ୍ଟି ଏହି ଅଞ୍ଚଳରେ କରାଯିବ ।