ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭଗବାନ ଶ୍ରୀରାମଙ୍କ ମନ୍ଦିର ପାଇଁ ଆଜି ଅଯୋଧ୍ୟାରେ ଭୂମି ପୂଜନ କରାଯିବ । ପ୍ରଧାନମନ୍ତ୍ରୀ ମୋଦି ଏହି ଭବ୍ୟ ରାମମନ୍ଦିରର ଭତ୍ତିପ୍ରସ୍ତର କରିବେ । ଶ୍ରୀରାମ ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ନୃତ୍ୟଗୋପାଳ ଦାସ କହିଛନ୍ତି କି, ରାମ ମନ୍ଦିର ଭୂମି ପୂଜନ କାର୍ଯ୍ୟକ୍ରମ ପାଇଁ ୪୦ କିଲୋଗ୍ରାମର ଚାନ୍ଦୀ ଇଟା ଦାନରେ ମିଳିଛି । ଏହି ଇଟାକୁ ପ୍ରଧାନମନ୍ତ୍ରୀ ମୋଦି ଅଯୋଧ୍ୟାରେ ହେବାକୁ ଥିବା ଭୂମି ପୂଜନ ସମାରୋହରେ ମନ୍ଦିରର ଭିତିପ୍ରସ୍ତର ରଖିବାରେ ବ୍ୟବହାର କରିବେ । ସମାରୋହ ଶେଷ ହେବା ପରେ ଚାନ୍ଦୀ ଇଟାକୁ କଢାଯାଇ ମାଟି ଇଟା ରଖାଯିବ ।
କୁହାଯାଉଛି କି ମଣି ରାମ ଦାସ ଛାବନି ପୀଠ ପକ୍ଷରୁ ମହନ୍ତ ନୃତ୍ୟ ଗୋପାଳ ଦାସ ଭୂମି ପୂଜା ପାଇଁ ୪୦ କିଲୋଗ୍ରାମର ଚାନ୍ଦୀ ଇଟା ଦାନ କରିଛନ୍ତି । ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ଉତ୍ତରାଧିକାରୀ ହେଉଛନ୍ତି ମହନ୍ତ କମଳ ନୟନ ଦାସ । ରାମ ଦାସ ଛାବନି ପୀଠ ହେଉଛି ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ନିବାସ ସ୍ଥାନ । ଅଯୋଧ୍ୟାରେ ସମସ୍ତ ଧାର୍ମିକ ଗତିବିଧି ଏହି ସ୍ଥାନରୁ ସଂଚାଳିତ ହୋଇଥାଏ ।
ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ କହିବାନୁଯାୟୀ, ରାମ ମନ୍ଦିରର ମୂଳଦୁଆରେ ଚାନ୍ଦୀ ଇଟା ବ୍ୟବହାର କରିବାର କୌଣସି ଅର୍ଥ ନାହିଁ । ଭୂମି ପୂଜା ପରେ ଚାନ୍ଦି ଇଟାକୁ କଢାଯାଇ ମାଟି ସାଧାରଣ ଇଟା ରଖାଯିବ ଏବଂ ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ଲକରରେ ଚାନ୍ଦୀ ଇଟା ରଖାଯିବ ।