ପୁରୀ (ଏଟିଆର ବ୍ୟୁରୋ): ଆଜି ବିଶ୍ୱ ପ୍ରସିଦ୍ଧ ପବିତ୍ର ରଥ ଯାତ୍ରା । ରଥାରୁଢ ହୋଇଛନ୍ତି ଚତୁର୍ଦ୍ଧାମୂୂରତି । ତିନି ରଥରେ ଛେରାପହଁରା ନୀତି ଶେଷ କରି ଗଜପତି ମହାରାଜା ଶ୍ରୀନଅରକୁ ପ୍ରସ୍ଥାନ କରିଛନ୍ତି । ଏହାପରେ ରଥରୁ ଚାରମାଳ ଫିଟା ଯାଇ ବଡଠାକୁରଙ୍କ ରଥରେ ଚାରୋଟି ଘୋଡା ଯୋଚା ହୋଇ ଡାହୁକ ସେବକ ବେତ ଧରି ଘୋଡାକୁ ନମସ୍କାର କରି ରଥ ଗଡିବା ପାଇଁ ପ୍ରସ୍ତୁତ ହୋଇଛନ୍ତି ।
ଘଣ୍ଟ, ଘଣ୍ଟା ଘର୍ଘର ନାଦରେ ଗଡିବା ଆରମ୍ଭ ହୋଇଛି ବଡଠାକୁରଙ୍କ ତାଳଧ୍ୱଜ ରଥ । ଡାହୁକ ବୋଲିରେ ଗଡି ଚାଲିଛି ରଥ । ସେବାୟତମାନେ ଶାନ୍ତି ଶୃଙ୍ଖଳାର ସହିତ ରଥକୁ ଟାଣି ନେଉଛନ୍ତି । ବଡ ଭାଇଙ୍କ ରଥ ପ୍ରଥମେ ଗଡିବାର ଏକ ଘଣ୍ଟା ପରେ ଆରମ୍ଭ ହେବ ଭଉଣୀ ସୁଭଦ୍ରାଙ୍କ ରଥ ଗଡିବ ।