ଭୁବନେଶ୍ୱର (ଏଟିଆର ବ୍ୟୁରୋ); ପ୍ରଥମ ପର୍ଯ୍ୟାୟ ମତଦାନ ପରେ ଏବେ ଦ୍ୱିତୀୟ ପର୍ଯ୍ୟାୟ ଉପରେ ସମସ୍ତଙ୍କ ନଜର । କନ୍ଧମାଳ ସଂସଦୀୟ କ୍ଷେତ୍ର ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବାରୁ ଏଠାରେ ଚାଲି ଜୋରସୋର ପ୍ରଚାର । ଭୋଟରଙ୍କ ମନ ମୋହିବା ପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ଚାଲିଛି ବଳ କଷାକଷି । ଏହି ସଂସଦୀୟ କ୍ଷେତ୍ରଟି ବିଜେଡି ଅକ୍ତିଆରରେ ରହି ଆସିଛି । ତେବେ ଚଳିତ ନିର୍ବାଚନରେ ଏଠାରେ ସବୁଦଳ ନୂଆ ପ୍ରାର୍ଥୀ ଦେଇଥିବାରୁ ଜନତା କାହା ଉପରେ ଭରଷା କରି ଭୋଟ ଦେବେ ତାହା ସମୟ କହିବ ।
ବିଜେଡି କିଟ କିସ ମାଲିକ ଅଚ୍ୟୁତ ସାମନ୍ତଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ବାଲେଶ୍ୱର ଲୋକସଭା ଆସନରେ ତିନିଥର ସାଂସଦ ହୋଇଥିବା ଖାରବେଳ ସ୍ୱାଇଁଙ୍କୁ ଟିକେଟ ଦେଇଛି । ଅପରପକ୍ଷରେ ଦୁଇ ବିରୋଧୀଙ୍କୁ କଡା ଟକ୍କର ଦେବା ପାଇଁ କଂଗ୍ରେସ ସ୍ଥାନୀୟ ନେତା ମନୋଜ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିଛି । ବିଜେପି ଏବଂ ବିଜେଡି ପ୍ରାର୍ଥୀ ହୋଇଥିବା ଦୁଇ ନେତା ହେବିୱେଟ ହୋଇଥିଲେ ସୁଦ୍ଧା ଏମାନେ ଏହି ସଂସଦୀୟ କ୍ଷେତ୍ର ପାଇଁ ନୂଆ । ପୂର୍ବରୁ ଏମାନେ କେବେ ଲୋକଙ୍କ ପାଖରେ ପହଁଞ୍ଚି ନାହାଁନ୍ତି କି ଦୁଃଖରେ ଠିଆ ହୋଇ ନାହାଁନ୍ତି । କେବଳ ଟିକେଟ ପାଇବା ପରେ ପ୍ରଚାର କରିବା ପାଇଁ ଆସି ଗାଁ ଦେଖୁଛନ୍ତି ବୋଲି ଚର୍ଚ୍ଚା ହେଉଛି ।
ବିଜେଡି ଚାଲାକ କରି ଅଚ୍ୟୁତଙ୍କୁ କନ୍ଧମାଳରେ ଟିକେଟ ଦେଇଛି । ତେବେ ସଂସଦୀୟ କ୍ଷେତ୍ରରେ ପ୍ରଥମରୁ ସଂଗଠନ ଦୃଢ଼ କରିଥିବା ସାଂସଦ ପ୍ରତ୍ୟୁଷାଙ୍କୁ ଟିକେଟ ନମିଳିବା ପରେ ତାଙ୍କ ସମର୍ଥକମାନେ ବିଜେଡିକୁ ବିରୋଧ କରି ଆସୁଛନ୍ତି । ଯାହାକି ବିଜେଡି ପାଇଁ ଏଠାରେ ମାଇନଓ ପଏଣ୍ଟ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । କଂଗ୍ରେସ ଏବଂ ବିଜେପି ପୂର୍ବାପେକ୍ଷା ସଂସଦୀୟ କ୍ଷେତ୍ରରେ ନିଜର ଶକ୍ତି ବଢ଼ାଇବାରେ ଲାଗିଛନ୍ତି । ତେବେ ସବୁକିଛି ଜନତାଙ୍କ ମତଦାନ ଉପରେ ନିର୍ଭର କରେ ।