ଯାଜପୁର (ଏଟିଆର ବ୍ୟୁରୋ); ଦିନ ଦ୍ୱିପ୍ରହରେ ଅପରାଧ । ଥାନା ସାମନାରୁ ଲୁଟ । କିଛି କାମରେ ଥାନା ଭିତରକୁ ଯାଇଥିଲେ ବୃଦ୍ଧ । ଆସିବା ବେଳକୁ ଗାଡି ଡିକି ଭାଙ୍ଗି ୩ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଝିଅ ବାହାଘର ପାଇଁ ଏହି ଟଙ୍କା ଉଠାଇଥିବା ଜଣା ପଡିଛି । କଷ୍ଟ ଅର୍ଜିତ ଟଙ୍କା ଝିଅ ବାହାଘରରେ ଲାଗିବା ପୂର୍ବରୁ ଲୁଟ ହୋଇଥିବାରୁ ଭାଙ୍ଗି ପଡିଛନ୍ତି ବୃଦ୍ଧ । ଯାଜପୁର ଜିଲ୍ଲା ଦଶରଥପୁର ଅଞ୍ଚଳରେ ଘଟିଛି ଏଭଳି ଘଟଣା । ରବି ନାରାୟଣ ରଥ ନାମକ ଜଣେ ବ୍ୟକ୍ତିଙ୍କଠାରୁ ହୋଇଛି ଲୁଟ୍ । ପୋଲିସ ଘଟଣାର ତନାଘନା କରୁଛି ।
ଦଶରଥପୁର ବୃନ୍ଦାବନପୁର ଗାଁର ରବି ନାରାୟଣ ରଥ । ନିଜ ଝିଅ ବାହାଘର ପାଇଁ ଷ୍ଟେଟ ବ୍ୟାଙ୍କରୁ ଅଢ଼େଇ ଲକ୍ଷ ଟଙ୍କା ଉଠାଇଥିଲେ । ଟଙ୍କାକୁ ଗାଡି ଡିକିରେ ରଖି ଘରକୁ ଫେରୁଥିଲେ ରବି । ଥାନାରେ ପାସପୋର୍ଟ ସମ୍ପର୍କରେ ବୁଝିବା ପାଇଁ ଯାଇଥିଲେ । ତେବେ ସେ ଫେରିବା ବେଳକୁ ତାଙ୍କ ଗାଡି ଡିକି ଭଙ୍ଗା ଯାଇଥିଲା । ଏଥିରେ ସେ ଉଠାଇଥିବା ଅଢ଼େଇ ଲକ୍ଷ ସହ ଆଉ ୫୦ ହଜାର ମିଶାଇ ରଖିଥିଲେ । ସବୁ ଟଙ୍କା ଲୁଟ ହୋଇଯାଇଥିଲା ।
ଟଙ୍କା ନଥିବା ଦେଖିବା ପରେ ଚିନ୍ତାରେ ପଡି ଯାଇଥିଲେ ରବି । ସଙ୍ଗେ ସଙ୍ଗେ ଥାନାରେ ଯାଇ ଏତଲା ଦେଇଥିଲେ । ପୋଲିସ ଏହି ଏତଲା ଆଧାରରେ ମାମଲା ରୁଜୁ କରି ଚୋରଙ୍କୁ ଖୋଜୁଛି । ତେବେ କେହି ଦୁର୍ବୃତ୍ତ ବ୍ୟାଙ୍କ ପାଖରୁ ତାଙ୍କ ଫଲୋ କରି ଶେଷରେ ଲୁଟ୍ କରିଥିବା ଅନୁମାନ କରାଯାଉଛି । ଝିଅ ବାହାଘର ଆଉ ଅଳ୍ପଦିନ ଥିବା ବେଳେ ଟଙ୍କା ଲୁଟ୍ ରବିଙ୍କ ମେରୁଦଣ୍ଡ ବଙ୍କା କରିଦେଇଛି ।