ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଆତଙ୍କବାଦ ଓ ବୈଶିକ ସୁରକ୍ଷା ଦିଗରେ ଏକତ୍ର ଲଢିବେ ଏସିଆ ମହାଦେଶର ଦୁଇ ଦେଶ ଭାରତ ଓ ସାଉଦି ଆରବ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ସାଉଦି ଆରବ ଗସ୍ତରେ ଥିବା ବେଳେ ସେଠାକାର ଗଣମାଧ୍ୟମକୁ ସୂଚନା ଦେଇ ସେ ଏହା କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ରିଆଦ ସହିତ ନୂଆଦିଲ୍ଲୀର ଭଲ ସମ୍ପର୍କ ରହିଛି । ଭାରତ ସାଉଦି ଆରବ ଠାରୁ ୧୮ ପ୍ରତିଶତ ଅଶୋଧିତ ତୈଳ ଆମଦାନୀ କରୁଛି। ଆମ ଦେଶର ଉର୍ଜା ଆବଶ୍ୟକତାକୁ ପୂରଣ କରିବା ପାଇଁ ଆମେ ସାଉଦି ଆରବକୁ ଏକ ମହତ୍ଵପୂର୍ଣ୍ଣ ସ୍ରୋତ ଭାବରେ ଗ୍ରହଣ କରୁଛୁ।
ସୂଚନାଯୋଗ୍ୟ ସୋମବାର ବିଳମ୍ବିତ ରାତିରେ ମୋଦି ରାଜଧାନୀ ରିୟାଦର କିଙ୍ଗ ରିୟାଦର କିଙ୍ଗ ଖାଲିଦ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ପହଞ୍ଚିଥିଲେ। ସେଠାରେ ମୋଦିଙ୍କୁ ଆରବର ବରିଷ୍ଠ ମନ୍ତ୍ରୀମାନେ ସ୍ୱାଗତ କରିଛନ୍ତି । ସେଠାରେ ମୋଦିଙ୍କୁ ସାଉଦି ଆରବ ପକ୍ଷରୁ ଗାଡ ଅଫ ଅନର ଦିଆଯାଇଛି । ସାଉଦି କିଙ୍ଗ ସଲମାନ ବିନ ଅବଦୁଲ ଅଜିଜ ଅଲ ସୌଦାଙ୍କ ନିମନ୍ତ୍ରଣରେ ମୋଦି ଦୁଇ ଦିନିଆ ସାଉଦି ଆରବ ଗସ୍ତ କରିଛନ୍ତି । ତୈଳ, ଗ୍ୟାସ, ବେସାମରିକ ବିମାନଚଳାଚଳ କ୍ଷେତ୍ରରେ ଦ୍ୱିପାକ୍ଷିକ ଚୁକ୍ତି ସ୍ୱାକ୍ଷର ହେବାର କାର୍ୟ୍ୟକ୍ରମ ରହିଛି ।