ଜବଲପୁର (ଏଟିଆର ବ୍ୟୁରୋ): ଭାରତୀୟ ସେନା ପାଇଁ ଆଉ ଏକ ସଫଳତା । ଦେଶର ସବୁଠାରୁ ବଡ ତୋପ ସାରଙ୍ଗର ସଫଳ ପରୀକ୍ଷଣ ହୋଇଛି । କାନପୁରର ଗୋଳାବାରୁଦ ଫ୍ୟାକ୍ଟ୍ରୀ ଦ୍ୱାରା ନିର୍ମାଣ କରାଯାଇଥିବା ସାରଙ୍ଗ ତୋପର ସଫଳ ପରୀକ୍ଷଣ ହୋଇଛି । ୧୫୫ଏମଏମର ଏହି ତୋପକୁ ଆଜି ମଧ୍ୟପ୍ରଦେଶର ଜବଲପୁରରେ ସ୍ଥିତ ଖମରିୟା ରେଞ୍ଜରରେ ସଫଳ ପରୀକ୍ଷଣ କରାଯାଇଛି । ସାରଙ୍ଗ ଦୀର୍ଘ ୩୬ କିଲୋମିଟର ପର୍ଯ୍ୟନ୍ତ ନିଜର ଲକ୍ଷ୍ୟ ଭେଦ କରିବାରେ ସକ୍ଷମ ଅଟେ ।
ଏହି ତୋପ ହେବା ଫଳରେ ଭାରତ ପାକିସ୍ତାନ ମଧ୍ୟରେ ବିନା ଅନୁପ୍ରବେଶ କରି ପ୍ରାୟ ୪୦ରୁ ୫୦ କିଲୋମିଟର ଅଞ୍ଚଳକୁ ଅତି ସହଜରେ ନିଜର ଲକ୍ଷ୍ୟ ଭେଦ କରିପାରିବ । ଏହି ତୋପର ନାମ ଭଗବାନ ବିଷ୍ଣୁଙ୍କ ଧନୁଷ ‘ସାରଙ୍ଗ’ ନାମରେ ନାମିତ କାରଯାଇଛି । ସାରଙ୍ଗ ତୋପର ଓଜନ ପ୍ରାୟ ୮.୪ ଟନ ଏବଂ ଏହାର ବ୍ୟାରେଲର ଲମ୍ୱା ପ୍ରାୟ ୭ ମିଟର ରହିଛି । ସାରଙ୍ଗ ତୋପ ଏକାଥରକେ ତିନୋଟି ବିସ୍ଫୋରକ ମାରିବାରେ ସକ୍ଷମ ରହିଛି ।ଏହାର ଗନ ଏବେ ସେମି ଅଟୋମେଟିକ ହୋଇଛି । ଏହାଦ୍ୱାରା ତୋପ ଭିତରକୁ ବିସ୍ଫୋରକ ପଠାଇବାରେ ସୁବିଧା ହେବ ।
ଚଳିତ ବର୍ଷ ଏହିପରି ୩୦ଟି ତୋପକୁ ଭାରତୀୟ ସେନାରେ ସାମିଲ କରାଯିବ । ‘ସାରଙ୍ଗ’ତୋପକୁ ୧୩୦ ଏମଏମର ଏମ-୪୬ ତୋପକୁ ବିକଶତି କରି ନିର୍ମାଣ କରାଯାଇଛି । ଏମ-୪୬ ତୋପର ମାରକ କ୍ଷମତା ୨୭ କି.ମି. ଥିବା ବେଳେ ‘ସାରଙ୍ଗ’ତୋପର ମାରକ କ୍ଷମତା ୩୫ କିଲୋମିଟରକୁ ବୃଦ୍ଧି ହୋଇଛି । ‘ସାରଙ୍ଗ’ତୋପକୁ ପ୍ରାୟ ୭୦ ଡିଗ୍ରୀ ପର୍ଯ୍ୟନ୍ତ ମୁଭ କରାଯାଇ ପାରିବ । ଅନ୍ୟପଟେ ସମ୍ପୁର୍ଣ୍ଣ ସ୍ୱଦେଶୀ କଳାରେ ଏହି ତୋପର ନିର୍ମାଣ କରାଯାଇଛି । ଏହି ତୋପ ନିର୍ମାଣ ନିମନ୍ତେ ୭୦ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ । ପ୍ରଥମ ପର୍ଯ୍ୟୟରେ ୩୦ ଏବଂ ଦ୍ୱିତୀୟ ପର୍ୟ୍ୟାୟରେ ୭୦ ଏବଂ ପରବର୍ତ୍ତି ପର୍ୟ୍ୟାୟରେ ୧୦୦ ତୋପ ନିର୍ମାଣ କରାଯିବ । ୨୦୨୨ ସୁଦ୍ଧା ତିନି ଶହରୁ ଅଧିକ ତୋପ ନିର୍ମାଣ କରାଯାଇ ସେନାକୁ ଦିଆଯିବ ।