ଢ଼େଙ୍କାନାଳ,(ଏଟିଆର ବ୍ୟୁରୋ): ବିଦ୍ୟୁତ ସଂପର୍ଶରେ ଆସି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଆଉ ଏ ମୃତ୍ୟୁକୁ ନେଇ ଉତ୍ତେଜନା । କ୍ଷତି ପୂରଣ ଦାବୀରେ ଲୋକେ ରାସ୍ତାରୋକ କରିବାକୁ ବି ପଛାଇନାହାନ୍ତି । ଫଳସ୍ୱରୂପ ରାସ୍ତା ଜାମ ହେବା ସହ ଗାଡିମୋଟର ଅଟକିଯାଇଛି । ଏଭଳି ପରିସ୍ଥିତି ଉପୁଜିଛି ଢ଼େଙ୍କାନାଳରେ ।
ମିଳିଥିବା ରିପୋର୍ଟ ଅନୁସାରେ, ତୁମୁସିଂହା ଅଞ୍ଚଳରେ ଏକ ଘର କାମ ଚାଲିଛି । ଯେଉଁଥିରେ ଶ୍ରମିକ ଜଣଙ୍କ କାମ କରୁଥିବା ବେଳେ ବିଦ୍ୟୁତ ସଂପର୍ଶରେ ଆସିଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଘଟଣା ସାମ୍ନାକୁ ଆସିବା ପରେ ଦେଖାଦେଇଥିଲା ଉତ୍ତେଜନା । ଲୋକେ ଆଲୁଅଝରଣ ଓ ଭାଲୁମୁଣ୍ଡା ରାସ୍ତାକୁ ଅବରୋଧ କରିଥିଲେ । ଯାତାୟତ ଏକ ଦମ ଠପ ହୋଇଯାଇଥିଲା । ଖବର ପାଇ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ରିପୋର୍ଟ ଲେଖା ହେବା ବେଳକୁ ପରିସ୍ଥିତି ଶାନ୍ତ ପଡିନଥିବା ଜଣାପଡିଛି ।