ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ଭୁବନେଶ୍ୱରକୁ ଆସୁଛନ୍ତି ଅମୀର , ଅମିତାଭ , ସଚ୍ଚିନଙ୍କ ସମେତ ଆହୁରୀ ଅନେକ ନାମୀଦାମୀ ତାରକା । ହକି ବିଶ୍ୱକପର ଉଦଯାପନୀ ଉତ୍ସବରେ ଯୋଗ ଦେବାକୁ ଓଡିଶା ସରକାରଙ୍କ ତରଫରୁ ଭାରତର ସବୁଠୁ ବଡ ବଡ ସେଲିବ୍ରିଟି ତଥା ତାରକା ମାନଙ୍କୁ ନିମନ୍ତ୍ରଣ କରାଯାଇଥିବା ସୂଚନା ମିଳିଛି । ଏମାନଙ୍କ ମଧ୍ୟରେ ଅଭିନେତା ତଥା ବିଗ ବି ଅମିତାଭ ବଚ୍ଚନ , ମିଷ୍ଟର ପ୍ରଫେକ୍ଟ ଅମୀର ଖାନ , କ୍ରିକେଟର ଭଗବାନ ତଥା ମାଷ୍ଟର ବ୍ଲାଷ୍ଟର ସଚ୍ଚିନ ତେନ୍ଦୁଲକର , କ୍ରିକେଟ ଜଗତର ଦି ୱାଲ ରାହୁଲ ଦ୍ରାବିଡ , ଦାଦା ସୌରଭ ଗାଙ୍ଗୁଲୀ ଓ ଅଭିନେତା ତଥା ଚକଲେଟ ବଏ ସାହିଦ କାପୁର ରହିଥିବା ଚର୍ଚ୍ଚା ହେଉଛି ।
ଗୋଟେପଟେ ଭୁବନେଶ୍ୱର ତଥା କଟକରେ ବିଶ୍ୱକପ ହକି ପାଇଁ ଦୁଇଟି ଉଦଘାଟନ କାର୍ଯ୍ୟକ୍ରମରେ ବହୁ ସେଲିବ୍ରିଟି ଯୋଗ ଦେଇଥିବା ବେଳେ ଏବେ ଉଦଯାପନୀ ଉତ୍ସବରେ ଯୋଗ ଦେବାକୁ ଥିବା ସେଲିବ୍ରିଟି ମାନଙ୍କୁ ନେଇ କଳ୍ପନା ଜଳ୍ପନା ଲାଗିଲାଣି । ପୂର୍ବରୁ ଭୁବନେଶ୍ୱରରେ ସାହାରୁଖ ଖାନ ଓ ମାଧୁରୀ ଦୀକ୍ଷିତ ଓ ରହେମାନଙ୍କ କଲୱା ଦେଖିଛି ଭୁବନେଶ୍ୱର । ସେହିଭଳି କଟକରେ ସଲମାନ ଓ ଏଆର ରହେମାନ ମଧ୍ୟ ଦର୍ଶକଙ୍କୁ ମତୁଆଲା କରି ସାରିଛନ୍ତି । ତେବେ ଆସନ୍ତା ଡିସେମ୍ବର ୧୬ ତାରିଖରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ହକି ବିଶ୍ୱକପର ଉଦଯାପନୀ ଉତ୍ସବ ପାଇଁ ଏତେ ସବୁ ସେଲିବ୍ରିଟିଙ୍କ ନାମ ପଦାକୁ ଆସିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଦର୍ଶକମାନେ ଏନେଇ ଏବେଠୁ ଦିନ ଗଣିବାରେ ଲାଗିପଡିଲେଣି ।
ସେପଟେ ଅମୀର , ଅମିତାଭ , ସଚ୍ଚିନ ଓ ଅନ୍ୟ ସେଲିବ୍ରିିଟିଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଚିଠି କରାଯାଇଛି । ଅବଶ୍ୟ ସେଲିବ୍ରିଟି ମାନଙ୍କ ପକ୍ଷରୁ ଏ ସଂକ୍ରାନ୍ତ କୌଣସି ଉତ୍ତର ରାଜ୍ୟ ସରକାରଙ୍କ ପାଖରେ ପହଞ୍ଚିନାହିଁ । ତେବେ ଏ ସମସ୍ଥ ସେଲିବ୍ରିଟି ଉଦଯାପନୀ ଉତ୍ସବରେ ଯୋଗଦାନ କରିବେ ବୋଲି ରାଜ୍ୟ ସରକାର ଓ ହକି ଇଣ୍ଡିଆ ଆଶା ରଖିଛି । ଯଦି ଭୁବନେଶ୍ୱରରେ ଏହି ସବୁ ସେଲିବ୍ରିଟି ମାନଙ୍କ ମେଳା ଲାଗେ ତେବେ ସାଧାରଣ ଲୋକେ ମଧ୍ୟ ଏହି ଦିନକୁ ସବୁଦିନ ପାଇଁ ମନେ ରଖିବେ ବୋଲି ଚର୍ଚ୍ଚା ହେଉଛି । ତେବେ ରାଜ୍ୟ ସରକାରଙ୍କୁ ଏଥି ନିମନ୍ତେ ବହୁ ଅର୍ଥ ବ୍ୟୟ କରିବାକୁ ମଧ୍ୟ ପଡିପାରେ ବୋଲି ଜଣାପଡିଛି ।