ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ ଆତଙ୍କ ଖେଳାଇଛି ମହାମାରୀ କରୋନା । ଏହାକୁ ମୁକାବିଲା କରିବା ଲାଗି ଟୀକା ପରୀକ୍ଷଣ କରିବାରେ ଲାଗିପଡିଛନ୍ତି ବୈଜ୍ଞାନିକ । ସେହିଅନୁଯାୟୀ ଭାରତୀୟ ଫାର୍ମା କମ୍ପାନୀ ଜାୟଡସ କ୍ୟାଡିଲା ବି ଭ୍ୟାକ୍ସିନର ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏହି ଭ୍ୟାକ୍ସିନକୁ କମ୍ପାନୀ ୧୦୪୮ ଲୋକଙ୍କ ଉପରେ ପରୀକ୍ଷଣ କରିବ । ପରୀକ୍ଷଣ ପାଇଁ ଗତ ମାସରେ ଡିଜିସିଆଇ ପକ୍ଷରୁ କମ୍ପାନୀକୁ ଅନୁମତି ମିଳିଥିଲା ।
କ୍ଲିନିକାଲ ଟ୍ରାୟଲ ରେଜିଷ୍ଟ୍ରି ଅଫ୍ ଇଣ୍ଡିଆ ପକ୍ଷରୁ କୁହାଯାଇଛି କି, ଏହି ପରୀକ୍ଷଣ ଇନକ୍ଳ୍ୟୁଜନ ଏବଂ ଏକ୍ସକ୍ଳୁଜନ୍ ଉପାୟରେ କରାଯିବ । ଇନକ୍ଳ୍ୟୁଜନର ପ୍ରଥମ ପର୍ଯ୍ୟାୟରେ ୧୮ ରୁ ୫୫ ବର୍ଷର ପୁରୁଷ ଏବଂ ମହିଳାଙ୍କ ଉପରେ ଅଧ୍ୟୟନ ହେବ । ଦ୍ୱିତୀୟ ପର୍ଯ୍ୟାୟରେ ୧୨ ବର୍ଷରୁ ଅଧିକ ବୟସର ପିଲାଙ୍କୁ ସେମାନଙ୍କ ଅନୁମତି ପରେ ସାମିଲ କରାଯିବ । ସେହିପରି ଏକ୍ସକ୍ଳ୍ୟୁଜନ ପରୀକ୍ଷା ପ୍ରକ୍ରିୟା ବି ଦୁଇ ଭାଗରେ କରାଯିବ ।
କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି କି, ପ୍ରଥମ ପର୍ଯ୍ୟାୟର ପରୀକ୍ଷଣ ୮୪ ଦିନ ପର୍ଯ୍ୟନ୍ତ ଚାଲିବ । ଯେଉଁଥିରେ ସୁସ୍ଥ ଲୋକଙ୍କ ଉପରେ ଭ୍ୟାକ୍ସିନର ସୁରକ୍ଷା ମାନକକୁ ପରଖା ଯିବ । ଏହାପରେ ଦ୍ୱିତୀୟ ପର୍ଯ୍ୟାୟର ପରୀକ୍ଷଣ ୨୨୪ ଦିନ ପର୍ଯ୍ୟନ୍ତ ଚାଲିବ । ଯେଉଁଥିରେ ଶରୀର ଭିତରକୁ ଭ୍ୟାକ୍ସିନ ଦେବା ପରେ ପ୍ଲେସିବୋ ଲୋକଙ୍କ ସହ ସେମାନଙ୍କୁ ତୁଳନା କରାଯିବ ।