ଭୁବନେଶ୍ୱର (ଏଟିଆର ବ୍ୟୁରୋ): କାନ ବିନ୍ଧା ଏକ ସାଧାରଣ କଥା । ସେଥିପାଇଁ କାନ ବିନ୍ଧା ହେବା ମାତ୍ରେ ଇୟର ଡ୍ରପ ପକାଇ ଯନ୍ତ୍ରଣାରୁ ରକ୍ଷା ପାଇଥାନ୍ତି । କିନ୍ତୁ ଏହାକୁ ଅଣଦେଖା କଲେ ଏହା କାନ ପାଇଁ ବିପଦ ହୋଇପାରେ । କାରଣ ବାରମ୍ବାର କାନ ବିନ୍ଧା ହେବା ଦ୍ୱାରା ଆପଣ କାଲା ବି ହୋଇପାରନ୍ତି । ସେଥିପାଇଁ ଏହାକୁ ଅବହେଳା ନକରି ଗମ୍ଭୀରତା ସହ ନିଅନ୍ତୁ । ବେଳେ ବେଳେ କାନ ପରଦା ଜକେଇବା ସହ ବିନ୍ଧା ହୋଇଥାଏ । ତେବେ ଆସନ୍ତୁ ଜାଣିବା କିଭଳି ଭାବେ କାନ ବିନ୍ଧାରୁ ଉପଶମ ପାଇବେ ।
ଡାକ୍ତରଙ୍କ ମୁତାବକ, ମୁଣ୍ଡ ବୁଲାଇବା କାନରେ ଚାପ ପଡିବା ଭଳି ଲାଗିବା ଏହି ସବୁ କାନ ସମସ୍ୟାର ଲକ୍ଷଣ । ଏହାବ୍ୟତିତ କାନରୁ ପାଣି ବୋହିବା, ଅଳ୍ପ ଶୁଣାଯିବା କିମ୍ବା ବିଲକୁଲ୍ ଶୁଣାନଯିବା ଆଦି କାନ ସମ୍ବନ୍ଧୀୟ ଲକ୍ଷଣ ।
ଯଦି ଆପଣଙ୍କ କାନରେ କୌଣସି ପ୍ରକାରର ଆଘାତ ଲାଗିଥାଏ ତେବେ ଏହାଦ୍ୱାରା କାନ ବିନ୍ଧା ହୋଇପାରେ । ଏହାବ୍ୟତିତ କାନରେ ଫଙ୍ଗସ, ମଳି ହେବା, କାନ ପରଦା ଫାଟି ଯିବା ଦ୍ୱାରା କାନ ବିନ୍ଧା ମଧ୍ୟ ହୋଇପାରେ । ବେଳେ ବେଳେ ପାହାଡିଆ ଅଞ୍ଚଳରେ ମଧ୍ୟ କିଛି ବ୍ୟକ୍ତିଙ୍କର କାନ ବିନ୍ଧା ଆରମ୍ଭ ହୋଇଯାଇଥାଏ ।
କାନ ବିନ୍ଧା ହେବାରୁ ରକ୍ଷା ପାଇବାକୁ ହେଲେ ମିଠା ଖାଦ୍ୟ କିମ୍ବା ଚୁଇଙ୍ଗମ ଖାଇବା ଦ୍ୱାରା ଭଲ ହୋଇଥାଏ । ଏହାବ୍ୟତିତ ନାକରେ ପକାଉଥିବା ସ୍ପ୍ରେ ବି ଆପଣ ବ୍ୟବହାର କରିପାରିବେ । ଯଦି ଆପଣଙ୍କ କାନ ସମସ୍ୟା ହେଉଛି ତେବେ ଆପଣ ପେନକ୍ଲିୟର ଖାଇ ଯନ୍ତ୍ରଣାରୁ ରକ୍ଷା ପାଇପାରିବେ । ସବୁଠୁ ବଡ କଥା ହେଲା କାନ ସଫା କରିବା ବେଳେ ଦିଆସିଲ କାଠି କିମ୍ବା ପିନ୍ ବିଲକୁଲ୍ ବ୍ୟବହାର କରନ୍ତୁ ନାହିଁ । ଆପଣ ଇୟରବଡ ବ୍ୟବହାର କରିପାରନ୍ତି ।
ଗାଧୋଇବା ପରେ କାନକୁ ଭଲ ଭାବେ ସଫା କରି ନିଅନ୍ତୁ । କାରଣ କାନ ଭିତରେ ପାଣି ରହିବା ଦ୍ୱାରା ସଂକ୍ରମଣ ହୋଇପାରେ । ଗଳା ଖରାପ ହେବା ଦ୍ୱାରା ଗରମ ପାଣି ଗାରଗିଲ କରି ପାରନ୍ତି । ଗଳା ଖରାପ ଯୋଗୁଁ କାନ ବିନ୍ଧା ବି ହୋଇପାରେ ।