ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପରିବେଶକୁ ସ୍ୱଚ୍ଛ କରିବା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପମାନ ଗ୍ରହଣ କରୁଛନ୍ତି । କେନ୍ଦ୍ର ସରକାରଙ୍କ ଦ୍ୱାରା ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରାଯାଇଛି । ଯେଉଁଥିରେ ସମସ୍ତ ରାଜ୍ୟ ଗୁଡିକୁ ସାମିଲ କରାଯାଇଛି । ରାଜ୍ୟ ସରକାରଙ୍କ ତରଫରୁ ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ ପ୍ଲାଷ୍ଟିକ ଉପରେ କଟକଣା ଲଗାଯାଇଛି । ତେବେ ପୂର୍ବତଟ ରେଳପଥ ପକ୍ଷରୁ ଏଣିକି ରେଳ ଷ୍ଟେସନରେ ଛେପ ପକାଇଲେ କିମ୍ବା ଅର୍ବଜନା କଲେ ଜରିମାନ ଦେବାକୁ ପଡିବ । ଖାଲି ରେଳ ଷ୍ଟେସନ ନୁହେଁ, ପ୍ଲାଟଫର୍ମ, ଟ୍ରେନକୁ ଅପରିଷ୍କାର କଲେ, କାନ୍ଥବାଡକୁ ଅପରିଷ୍କାର କରିବା, ୫୦ ମାଇକ୍ରୋନରୁ କମ୍ ଥିବା ପ୍ଲାଷ୍ଟିକ ବ୍ୟବହାର କଲେ ଜରିମାନ ଦେବାକୁ ପଡିବ ବୋଲି ପୂର୍ବତଟ ରେଳ ପକ୍ଷରୁ ସୂଚନା ମିଳିଛି ।
୨୦୧୬ ମସିହାରୁ ଜରିମାନା ବ୍ୟବସ୍ଥା ଲାଗୁ କରାଯାଇଛି । ଏହି ଜରିମାନା ଦୁଇଟି ସ୍ଥରରେ ଆଦାୟ କରାଯାଉଥିଲା ଯଥା ଏ ଓ ଏ-୧ ଶ୍ରେଣୀ ଅଧୀନସ୍ଥ ଷ୍ଟେସନ । ଅନ୍ୟ ସମସ୍ତ ଷ୍ଟେସନ ପାଇଁ ପୃଥକ ଜରିମାନା ଆଦାୟ ହେଉଥିଲା । ତେବେ ନୂଆ ନିୟମ ଅନୁସାରେ ପୂର୍ବତଟ ରେଳପଥ ଅନ୍ତର୍ଗତ ସମସ୍ତ ରେଳ ଷ୍ଟେସନ ବର୍ଗୀକରଣ ଅନୁଯାୟୀ ଜରିମାନା ଆଦାୟ କରିପାରିବେ । ଏଣିକି ମୋଟ ୧୩ଟି ନିୟମ ଉଲ୍ଲଂଘନ କଲେ ଜରିମାନା ଦେବାକୁ ପଡିବ । ରେଳପଥ ପରିସରରେ ସ୍ବଚ୍ଛ ଭାରତ ମିସନକୁ ସୁନିଶ୍ଚିତ କରିବା ସହ ମ୍ୟୁନିସିପାଲ ସଲିଡ୍ ୱେଷ୍ଟ ମ୍ୟାନେଜମେଣ୍ଟ ନିୟମ-୨୦୧୬ ଆଧାରରେ ପ୍ରଦୂଷଣ ସୃଷ୍ଟି କରୁଥିବା ଲୋକଙ୍କଠାରୁ ଜରିମାନା ଆଦାୟ କରିବାକୁ ନିଷ୍ପତ୍ତି ହୋଇଛି ।