ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କେନ୍ଦ୍ର ସରକାରଙ୍କ ନିଷ୍ପତି କ୍ରମେ ସମଗ୍ର ଦେଶରେ ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନପିଆର) ଆସନ୍ତା ଏପ୍ରିଲ ମାସରୁ ଆରମ୍ଭ ହୋଇଯିବ । ପଞ୍ଜିକରଣ ସମୟରେ ଜଣେ ବ୍ୟକ୍ତିକୁ ଆଧାର ନଂ, ଭୋଟର ପରିଚୟ ପତ୍ର, ଡ୍ରାଇଭିିଂ ଲାଇସେନ୍ସ ଓ ପାସପୋର୍ଟ ନମ୍ବର ଦେବାକୁ ପଡିବ । ସେହିପରି ଯଦି କୌଣସି ବ୍ୟକ୍ତି ପାଖରେ ସେ ପୂର୍ବରୁ ରହୁଥିବା ସ୍ଥାନର ଯଦି କୌଣସି ଦସ୍ତାବିତ ଅଛି ତେବେ ଏନପିଆର ପଞ୍ଜିକରଣ ସମୟରେ ଦେବାକୁ ବାଧ୍ୟ ।
ତେବେ ଫର୍ମରେ ଥିବା ପାନ କାର୍ଡ କଲମକୁ ବିରୋଧ ପରେ ହଟାଇ ଦିଆଯାଇଛି ବୋଲଇ ଗୃହମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ‘ସ୍ୱେଚ୍ଛାକୃତ’ ଓ ‘ବିକଳ୍ପ’ ଦସ୍ତାବିଜ ସମ୍ପର୍କରେ ସୂଚନା ଦେଇ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଏନଆରସି ପଞ୍ଜିକରଣ ସମୟରେ ଯଦି କୌଣସି ବ୍ୟକ୍ତି ପାଖରେ ଆଧାର, ଡ୍ରାଇଭିଂ ଲାଇସେନ୍ସ , ଭୋଟର ଆଇଡି କିମ୍ବା ପାସପୋର୍ଟ ନମ୍ବର ନାହିଁ ତେବେ ପଞ୍ଜିକୃତ ସମୟରେ ଏହାର ଦସ୍ତାବିଜ ଦେବାର ଆବଶ୍ୟକତା ନାହିଁ । କିନ୍ତୁ ଯଦି କୌଣସି ଉପରୋକ୍ତ କୌଣସି ପରିଚୟପତ୍ର ରହିଛି ତା’ହେଲେ ସର୍ଭେ ସମୟରେ ସମସ୍ତ ଦସ୍ତାବିଜ ସର୍ଭେ ପାଇଁ ଯାଇଥିବା ଅଧିକାରୀଙ୍କ ଦେବାକୁ ପଡିବ ।
କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ ଡିସେମ୍ବର ୨୪ରେ ୨୦୨୧ ଜନଗଣନା ଓ ୨୦୨୦ ଏନପିଆର ସମ୍ପର୍କରେ କ୍ୟାବିନେଟ ନେଇଥିବା ନିଷ୍ପତ୍ତି ସମ୍ପର୍କରେ କହିଥିଲେ ଯେ ଏନପିଆର ବେଳେ ଆଧାର ନମ୍ବର ଦେବା ଜଣେ ବ୍ୟକ୍ତିଙ୍କ ଇଚ୍ଛାକୃତ ବ୍ୟାପାର ହେବ। ସେହିପରି ଅନ୍ୟତମ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଥିଲେ “ଏନପିଆର ସମୟରେ କୌଣସି ଦସ୍ତାବିଜ ଦେଖାଇବାକୁ ପଡ଼ିବ ନାହିଁ। ଲୋକମାନେ ଯାହା କହିବେ, ତା’କୁ ହିଁ ତଥ୍ୟ ଭାବେ ଗ୍ରହଣ କରାଯିବ।” ଅନ୍ୟପଟେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଥିଲେ, “ଯଦି ଜଣେ ବ୍ୟକ୍ତିଙ୍କ ପାଖରେ କୌଣସି କାଗଜପତ୍ର ନାହିଁ, ତା’ହେଲେ କିଛି ବି ଅସୁବିଧା ନାହିଁ। ଏନପିଆର ବେଳେ ଏଗୁଡ଼ିକୁ ମଗାଯିବ ନାହିଁ।” ଏନପିଆର ବେଳେ ଯଦି କୌଣସି ପରିବାରର ମୁଖ୍ୟ ଭୁଲ ତଥ୍ୟ ଦିଅନ୍ତି, ତା’ହେଲେ ତାଙ୍କ ଉପରେ ୧ ହଜାର ଟଙ୍କାର ଜୋରିମାନା ଦେବାର ପ୍ରାବଧାନ ରହିଛି।