ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଉତ୍ତରପ୍ରଦେଶର ଅଯୋଧ୍ୟା ସ୍ଥିତ ରାମ ଜନ୍ମଭୂମି ମନ୍ଦିରର ନିର୍ମାଣ କାର୍ଯ୍ୟ ଆଜିଠୁ ଆରମ୍ଭ ହୋଇ ଯାଇଛି । କିନ୍ତୁ ମନ୍ଦିରର ଶିଳାନ୍ୟାସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତରେ ସମ୍ପନ୍ନ କରିବାକୁ ପ୍ରସ୍ତୂତି ଚାଲିଛି । ଜୁଲାଇ ୨ ଅର୍ଥାତ ଦେବ ଶୟନୀ ଏକାଦଶୀ ଦିନ ଶିଳାନ୍ୟାସ କରାଯିବ । ସେଥିପାଇଁ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସଦସ୍ୟ, ପ୍ରଧାନମନ୍ତ୍ରଙ୍କୁ ଭେଟି ଶିଳାନ୍ୟାସ କାର୍ଯ୍ୟରେ ଯୋଗ ଦେବା ପାଇଁ ଆମନ୍ତ୍ରିତ କରିଛନ୍ତି । ଏହାସହିତ ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କ ଆମନ୍ତ୍ରଣକୁ ସ୍ୱୀକାର କରି ନେଇଛନ୍ତି ।
ଟ୍ରଷ୍ଟ ସୂତ୍ର ମୁତାବକ, ଜୁଲାି ୨ ରେ ଶିଳାନ୍ୟାସ ପାଇଁ ଯୋଜନା ଚାଲିଛି । ସେଥିପାଇଁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଏବଂ ରାମ ମନ୍ଦିର ଟ୍ରଷ୍ଟ ଉଭୟଙ୍କ ମଧ୍ୟରେ ଯୋଗଯୋଗ ରହିଛି । କାରଣ ଏବେ ମହାମାରୀ କରୋନା ପାଇଁ ବିଭିନ୍ନ ବୈଠକରେ ବ୍ୟସ୍ତ ଅଛନ୍ତି ପ୍ରଧାନମନ୍ତ୍ରୀ । ସେଥିପାଇଁ ଶିଳାନ୍ୟାସର ତାରିଖ ୨ ଜୁଲାଇକୁ ଧାର୍ଯ୍ୟ କରାଯାଇଛି । ମାତ୍ର ଏନେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ତାରିଖକୁ ନେଇ କୌଣସି ଜବାବ ଆସି ନାହିଁ ।
ସୂଚନାଯୋଗ୍ୟ, ରବିବାର ଦିଲ୍ଲୀରେ ରାମ ମନ୍ଦିର ଟ୍ରଷ୍ଟର ନିର୍ମାଣ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଟ୍ରଷ୍ଟର ମହାମନ୍ତ୍ରୀ ଚମ୍ପତ ରାୟ ଏବଂ ନୃପେନ୍ଦ୍ର ମିଶ୍ର ସାମିଲ ଥିଲେ । ଯେଉଁଥିରେ ଶିଳାନ୍ୟାସ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆମନ୍ତ୍ରିତ କରିବା ଏବଂ ନିର୍ମାଣ କାର୍ଯ୍ୟକୁ ନେଇ ଆଲୋଚନା ହୋଇଥିଲା ।