ଭୁବନେଶ୍ୱର ( ଏଟିଆର ବ୍ୟୁରୋ) : ସାରା ଦେଶରେ ଏବେ ତାଲା ବନ୍ଦ ରହିଥିବାରୁ ସମସ୍ତଙ୍କ ପାଖରେ ଏବେ ଅର୍ଥ ଅଭାବ । ତେବେ ଏହିଭଳି ଏକ ସମୟରେ ଘରୋଇ ସ୍କୁଲରେ ପାଠ ପଢାଉଥିବା ଅଭିଭାବକଙ୍କ ମୁଣ୍ଡରେ ଚଡକ ପଡିଛି । ସରକାରଙ୍କ ନିର୍ଦେଶକୁ ଏବେ ବାଏଁ ବାଏଁ ଉଡାଉଛି ଘରୋଇ ସ୍କୁଲ । ଆସନ୍ତା ଏପ୍ରିଲ ୩୦ ତାରିଖ ସୁଦ୍ଧା ଏପ୍ରିଲ, ମେ, ଜୁନ ମାସର କ୍ୱାଟରଲି ଫିସ ଦବାକୁ ବାଧ୍ୟ କରୁଛି ଭୁବନେଶ୍ୱରରେ ଏକ ଜଣା ଶୁଣା ଘରୋଇ ସ୍କୁଲ । ଅଭିଭାବକଙ୍କୁ ଫୋନ କରି ଦାବି କରୁଛି ଫିସ । ଯାହାକୁ ନେଇ ଏବେ ଚିନ୍ତାରେ ସଂପୃକ୍ତ ସ୍କୁଲରେ ପାଠ ପଢାଉଥିବା ଅଭିଭାବକ । ଏଭଳି ଏକ ଅଭାବ ସମୟରେ ଟଙ୍କା କିଭଳି ଆଉ କୋଉଠୁ ଆଣି ଦେବେ ତାକୁ ନେଇ ଦୋ ଛକିରେ । ଏପଟେ କରୋନା ଯୋଗୁ ପିଲାଙ୍କ ୩ ମାସର ସ୍କୁଲ ଫି ହ୍ରାସ କିମ୍ବା ଘୁଞ୍ଚାଇବା ପାଇଁ ସମସ୍ତ ବେସରକାରୀ ଶିକ୍ଷାନୁଷ୍ଠାନକୁ ରାଜ୍ୟ ସରକାର ପରାମର୍ଶ ଦେଇଥିଲେ ।
ଏନେଇ ଖୋଦ ମୁଖ୍ୟମନ୍ତ୍ରୀ ମଧ୍ୟ ଟ୍ୱିଟ କରି ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକୁ ପରାମର୍ଶ ଦେଇଥିଲେ । ଏପ୍ରିଲ, ମେ, ଜୁନ ମାସ ପର୍ଯ୍ୟନ୍ତ ଫିସ ହ୍ରାସ କିମ୍ବା ଘୁଞ୍ଚାଇବାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା । ଲକ ଡାଉନରେ ଅଭିଭାବକ ମାନଙ୍କ ଆର୍ଥିକ ଅବସ୍ଥା ଖରାପ ଥିବାରୁ ଏହା ସେମାନଙ୍କ ପାଇଁ ସହଯୋଗ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ହେଲେ ମୁଖ୍ୟମନ୍ତ୍ରୀଙ୍କ ଏହି କଥାକୁ ପବନରେ ଫୁ କରି ଦେଇଛି ରାଜଧାନୀର ଜଣାଶୁଣା ଏକ ଘରୋଇ ସ୍କୁଲ । ଫେବୃଆରୀ ମାର୍ଚ୍ଚ ମାସ ପାଇଁ ପୂର୍ବରୁ ଫିସ ନେଇ ସାରିଥିବା ବେଳେ ଏବେ ଅପ୍ରେଲ,ମେ ଓ ଜୁନ ମାସ କ୍ୱାଟରଲି ଫିସକୁ ଆସନ୍ତା ୩୦ ତାରିଖ ମଧ୍ୟରେ ନବା ପାଇଁ ଦାବି କରୁଛି । ଅଭିଭାବକ ମାନଙ୍କ କହିବା କଥା ଲକ ଡାଉନ ପାଇଁ ବ୍ୟକ୍ତିଗତ ଭାବେ ଆର୍ଥିକ ପରିସ୍ଥିତି ଖରାପ ହୋଇଯାଇଛି । ଯାହା ଆସନ୍ତା ୧ ବର୍ଷ ପର୍ଯ୍ୟନ୍ତ ଠିକ ହେବାର ସମ୍ଭାବନା ନାହିଁ ତେଣୁ ଆସନ୍ତା ୩ ମାସ ପର୍ଯ୍ୟନ୍ତ ଘରୋଇ ସ୍କୁଲ ଫିସ ଛାଡ କରନ୍ତୁ । ପ୍ରଶାସନ ଏନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଅଭିଭାବକ ମାନେ ଦାବି କରୁଛନ୍ତି ।