ଭୁବନେଶ୍ୱର(ଏଟିଆର ବ୍ୟୁରୋ):ରାଜ୍ୟରେ ଏବେ ପ୍ରବଳ ଶୀତ ଅନୁଭୂତ ହେଉଛି। ଶୀତ ସହ ‘ନିଭାର’ ପ୍ରଭାବରେ ବହୁଥିବା କାଲୁଆ ପବନ ଶୀତ କୁ ଆହୁରି ବଢ଼ାଇ ଦେଇଛି। ରାଜ୍ୟର ୯ ସହର ତାପମାତ୍ରା ୧୫ ଡିଗ୍ରି ତଳେ ଥିବା ରେକର୍ଡ ହୋଇଛି । ଦାରିଙ୍ଗବାଡ଼ିର ସର୍ବନିମ୍ନ ରାତ୍ରି ତାପମାତ୍ରା ୧୦ ଡିଗ୍ରିକୁ ଖସିଛି ।
ଅନ୍ୟପଟେ ବାତ୍ୟା ‘ନିଭାର୍’ ଯୋଗୁଁ ରାଜ୍ୟରେ ପାଗ ମେଘୁଆ ରହିଛି। ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ବି ରେକର୍ଡ ହୋଇଛି। ଫଳରେ ରାଜ୍ୟର କିଛି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ସାମାନ୍ୟ ବଢ଼ିଥିବା ଜଣାପଡ଼ିଛି । ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ରହିଥିବା ଭୀଷଣ ବାତ୍ୟା ‘ନିଭାର’ ଗତକାଲି ମଧ୍ୟରାତ୍ରିରେ ପୁଡୁଚେରି ଉପକୂଳ ଦେଇ ଅତିକ୍ରମ କରିଛି। ଏହା ଧୀରେଧୀରେ ଉତ୍ତରପଶ୍ଚିମ ଆଡ଼କୁ ଗତି କରି ଦୁର୍ବଳ ହୋଇଯିବ ଓ ଆସନ୍ତା ୧୨ ଘଣ୍ଟାରେ ଅବପାତରେ ପରିଣତ ହେବ।
ସୋନପୁର ୧୨.୬ ଡିଗ୍ରି, ଫୁଲବାଣୀ ଓ ଅନୁଗୁଳ ୧୪.୦ ଡିଗ୍ରି, ବଲାଙ୍ଗୀର ୧୪.୫ଡିଗ୍ରି, ତାଳଚେର ୧୪.୩ ଡିଗ୍ରି, ଝାରସୁଗୁଡ଼ାରେ ୧୪.୪ ଡିଗ୍ରି ଓ ବାରିପଦା ୧୪.୫ ଡିଗ୍ରି ଲେଖାଏଁ ସର୍ବନିମ୍ନ ତାପମାତ୍ରା ରହିଥିବା ଜଣାପଡ଼ିଛି।