ଭୁବନେଶ୍ୱର(ଏଟିଆର ବ୍ୟୁରୋ): ସାରା ବିଶ୍ୱରେ ଏବେ ମହାମାରୀ କରୋନାର ଭୟ ଦେଖିବାକୁ ମିଳୁଛି । ଯିଏ ଯେମିତି ପାରୁଛି ଏହାର ମୁକାବିଲା ପାଇଁ ଚେଷ୍ଟା କରୁଛି । ତେବେ ଏଭଳି ପରିସ୍ଥିତିରେ ରାଜ୍ୟ ସରକାର ମଧ୍ୟ ବିଭିନ୍ନ ପ୍ରକାରର ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି । କରୋନା ଭାଇରସର ମୁକାବିଲା କରିବା ପାଇଁ ସାରା ଦେଶକୁ ୨୧ ଦିନ ପାଇଁ ଲକ୍ ଡାଉନ୍ କରିଦିଆ ଯାଇଛି । ଏହାକୁ ନେଇ ରାଜ୍ୟ ସରକାର ଏକ କଣ୍ଟୋଲ୍ ରୁମ ଖୋଲିଛନ୍ତି । ଆଜିଠୁ ଏହି କଣ୍ଟ୍ରୋଲ ରୁମ ୨୪ ଘଣ୍ଟା କାମ କରିବା ଆରମ୍ଭ କରିଛି । ଦେଶର ବିଭିନ୍ନ ଅଞ୍ଚଳରେ ବସବାସ କରୁଥିବା ଓଡ଼ିଆ ଲୋକମାନେ ମଧ୍ୟ ସମ୍ମୁଖୀନ ହେଉଥିବା ଅସୁବିଧା ସମ୍ବନ୍ଧରେ ଏହି କଣ୍ଟ୍ରୋଲ୍ ରୁମକୁ ଜଣାଇପାରିବେ । ଏହି କଣ୍ଟ୍ରୋଲ ରୁମ ର ସମସ୍ତ ଦାୟିତ୍ୱ ରାଜ୍ୟ ସରକାର ଆଇପିଏସ ଅମିତାବ ଠାକୁରଙ୍କୁ ଦେଇଛନ୍ତି ।ଏହି କଣ୍ଟ୍ରୋଲ୍ ରୁମର ନମ୍ବର ହେଉଛି: ୦୬୭୪-୨୩୯୨୧୧୫/୯୪୩୮୯୧୫୯୮୬ ।
ସୂଚନା ଯୋଗ୍ୟ କରୋନା ଭାଇରସ ଏବେ ସାରା ଦେଶରେ ତାର କାୟା ବିସ୍ତାର କରିବାରେ ଲାଗିଛି । ୧୯୬ ଦେଶରେ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବାର ଜଣାପଡିଛି । ପ୍ରାୟ ୧୬ ହଜାରରୁ ଅଧିକ ଲୋକ ଏହି ଭାଇରସରେ ମୃତ୍ୟୁବରଣ କରିଛନ୍ତି । ତେବେ ଭାରତରେ ମଧ୍ୟ ଏହି ଭାଇରସ ତାର ପ୍ରକୋପ ବଢାଇବାରେ ଲାଗିଛି । ଭାରତରେ ୬୦୦ରୁ ଅଧିକ ଲୋକ ଏହି ଭାଇରସରେ ଆକ୍ରାନ୍ତ ଥିବା ବେଳେ ୧୨ ଜଣଙ୍କ ମୃତ୍ୟୁ ହୋଇଛି । ଓଡିଶାରେ ୨ଟି କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ କରୋନା ମୁକାବିଲା କରିବା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ମାନ ଗ୍ରହଣ କରାଯାଉଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ସାରା ଦେଶକୁ ଲକ୍ ଡାଉନ୍ ଘୋଷଣା କରାଯାଇଛି ।