ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସତ୍ୟ ଘଟଣା ଉପରେ ଆଧାରିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଉପରେ ନିର୍ମାଣ ହେଉଥିବା ଫିଲ୍ମକୁ ନେଇ ଏବେ ବିବାଦ ଉପୁଜିଛି । ଫିଲ୍ମକୁ ବିରୋଧ କରିଛନ୍ତି ମୃତ୍ୟୁ ସୌମ୍ୟ ଶେଖରଙ୍କ ପିତା ରବିନ୍ଦ୍ର ସାହୁ ।
ଶ୍ରୀ ସାହୁ ଫିଲ୍ମକୁ ବିରୋଧ କରିବା ସହ ଏନେଇ ଥାନାରେ ଅଭିଯୋଗ କରିଛନ୍ତି । ଫିଲ୍ମର ପ୍ରଯୋଜକ ପିଡୀତ ପରିବାରର ଅନୁମତି ନେବା ତ ଦୂରର କଥା, ସୈଜନମୂଳକ ଭାବରେ ତାଙ୍କୁ ଅବଗତ ବି କରାଇ ନାହାନ୍ତି । ଏହା ଛାତ୍ରଛାତ୍ରୀଙ୍କ ଉପରେ କୁପ୍ରଭାବ ପକାଇବା ସହ ଶିକ୍ଷକ ସମାଜ ପାଇଁ ଏକ ନିନ୍ଦନୀୟ କଥା ହେବ ବୋଲି ଏକ ସମ୍ବାଦିକ ସମ୍ମିଳନୀରେ ଅଧ୍ୟାପକ ଶ୍ରୀ ସାହୁ ସୂଚନା ଦେଇଛନ୍ତି ।
ପ୍ରକାଶ ଥାଉ କି, ଗତ ଫେବୃଆରୀ ମାସରେ ବଲାଙ୍ଗିର ଜିଲ୍ଲା ପାଟଣାଗଡ ପାର୍ସଲ ବୋମା ଘଟଣା ସାରା ଓଡିଶାକୁ ସ୍ତବ୍ଧ କରିଦେଇଥିଲା । ଏଥିରେ ସୌମ୍ୟ ଶେଖର ଏବଂ ତାଙ୍କ ଜେଜେମାଙ୍କର ମୃତ୍ୟୁ ହୋଇଥିବା ବେଳେ ପତ୍ନୀ ରିମାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ରିମା ମୃତ୍ୟୁ ସହ ସଂଘର୍ଷ କରି ପରମୁହୂର୍ତ୍ତରେ ଘରକୁ ଫେରିଥିଲେ । ଏହି ଘଟଣାର ସମ୍ପୂର୍ଣ୍ଣ ମାଷ୍ଟରମାଇଣ୍ଡ ଥିଲେ ଅଧ୍ୟାପକ ପୁଞ୍ଜିଲାଲ ମେହେର ।