ଖୋର୍ଦ୍ଧା (ଏଟିଆର ବ୍ୟୁରୋ); ବୋଲଗଡ-ବେଗୁନିଆ ନିର୍ବାଚନ ମଣ୍ଡଳୀରେ ଏଥରକ ଲଢ଼େଇ ଜୋରଦାର ହେବ ବୋଲି ଅନୁମାନ କରାଯାଉଛି । ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ଏଠାରେ ପ୍ରାର୍ଥୀ ଘୋଷଣା କରି ସାରିଲେଣି । ତେବେ ଏଠାରେ ବିଜେଡି ପକ୍ଷରୁ ରାଜେନ୍ଦ୍ର କୁମାର ସାହୁ ପ୍ରାର୍ଥୀ ହୋଇଥିବା ବେଳେ ବିଜେପି ପ୍ରସାନ୍ତ ନନ୍ଦଙ୍କ ପୁଅ ରିଷଭ ନନ୍ଦଙ୍କ ଉପରେ ଭରଷା କରି ଟିକେଟ ଦେଇଛି । ଅପରପକ୍ଷରେ ଦୁଇ ବିରୋଧୀଙ୍କୁ କଡା ଟକ୍କର ଦେବା ପାଇଁ କଂଗ୍ରେସ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲବ ପଟ୍ଟନାୟକଙ୍କ ପୁଅ ପୃଥୀବଲ୍ଲବଙ୍କୁ ନିର୍ବାଚନୀ ମୈଦାନକୁ ଓହଲ୍ଲାଇଛି ।
ତିନିଜଣ ଯାକ ହେବିୱେଟ ନେତା ଏଠାରେ ନିର୍ବାଚନୀ ବୈତରଣୀକୁ ବାହାରିଥିବାରୁ ଏଠାରେ ଲଢ଼େଇ ଜୋରଦାର ହେବ ବୋଲି ଆଶା କରାଯାଇଛି । ପ୍ରସାନ୍ତ ଜଗଦେବ ଏଠାରେ ୨୦୧୪ରେ ନିର୍ବାଚନ ଜିିତିଥିଲେ ସୁଦ୍ଧା ଏଥରକ ସେ ଚିଲିକାରୁ ନିର୍ବାଚନ ଲଢ଼ୁଛନ୍ତି । କିଛିଦିନ ପୂବେ ପ୍ରସାନ୍ତଙ୍କ ବିରୋଧରେ ନିର୍ବାଚନ ମଣ୍ଡଳୀରେ ଦଳୀୟ କର୍ମୀ ବିରୋଧାଚରଣ କରିଥିଲେ । ଏଣୁ ଏଠାରେ ରିଷଭ ନନ୍ଦ ଟିକେଟ ପାଇବେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ସେ ଟିକେଟ ପାଇବେ ନାହିଁ ବୋଲି ଆଗୁଆ ଜାଣିବା ପରେ ବିଜେପିରେ ଯୋଗ ଦେଇଥିଲେ ଏବଂ ଟିକେଟ ହାସଲ କରିଛନ୍ତି । ବାପାଙ୍କ ଭଳି ପୁଅ ରିଷଭ ମଧ୍ୟ ନିର୍ବାଚନ ମଣ୍ଡଳୀରେ ଲୋକ ସମ୍ପର୍କ ଭଲ ରଖିଥିବାରୁ ଭୋଟବ୍ୟାଙ୍କ ତାଙ୍କ ସପକ୍ଷରେ ଯିବ ବୋଲି ଅନୁମାନ କରାଯାଉଛି ।
ଅପରପକ୍ଷରେ ଏଠାରେ ବିଜେଡି ଲଗାତାର ବିଜୟ ହୋଇଥିବାରୁ ବିଜେଡିର ପଲ୍ଲା ଭାରି ରହିଛି । ତେବେ କଂଗ୍ରେସ ମାଷ୍ଟର ମାଇଣ୍ଡ ଖେଳାଇ ପୃଥୀବଲ୍ଲବଙ୍କୁ ଟିକେଟ ଦେବା ପରେ ପାଲି ଓଲଟି ପଡିବା ଭଳି ମନେ ହେଉଛି । ବାପା ପୂର୍ବତନ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ପୁଅକୁ ଭରଷା କରି ଭୋଟ ଦେଇ ପାରନ୍ତି ବୋଲି ଅନୁମାନ କରାଯାଉଛି । ତେବେ ଜାନକୀ ବଲ୍ଳବଙ୍କ ନିଜସ୍ୱ ଭୋଟବ୍ୟାଙ୍କ ଏହି ନିର୍ବାଚନ ମଣ୍ଡଳୀରେ ଥିବାରୁ ତାହା ପୁଅଙ୍କ ଖାତାକୁ ଯିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ତେବେ ଆସନ୍ତା ମେ ୨୩ରେ ନିର୍ବାଚନ ଫଳାଫଳ ସମସ୍ତଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ ।