ଫୁଲବାଣୀ(ଏଟିଆର ବ୍ୟୁରୋ):ଶୀତ ରୁତୁରେ କନ୍ଧମାଳ ଜିଲ୍ଲା କୁ ବାହାର ପର୍ଯ୍ୟଟକମାନେ ଆସି ଶୀତର ମଜା ଉଠାଇଥାନ୍ତି । ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଗହଳିଚହଳିରେ ଲାଗି ରହିଥାଏ । କିନ୍ତୁ କରୋନା ମହାମାରୀ ପାଇଁ ପର୍ଯ୍ୟଟନ କ୍ଷେତ୍ର ସବୁ ଖାଁ ଖାଁ ହୋଇପଡିଛି । ବାହାରୁ ପର୍ଯ୍ୟଟକମାନେ କନ୍ଧମାଳ ଜିଲ୍ଲାକୁ ନ ଆସିବା ପାଇଁ ପ୍ରଶାସନ ନିର୍ଦ୍ଧେଶନାମା ଜାରି କରିଛନ୍ତି ।
ଗତକାଲି ଓଡିଶାରେ କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଇକୋ ରିଟ୍ରିଟ୍ ଲୋକର୍ପିତ ହୋଇଛି । ଏହା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ। ଆଉ ପର୍ଯ୍ୟଟନ ଶିଳ୍ପର ବିକାଶ ହେବ ବୋଲି ପ୍ରଶାସନ କହିଛି।ପର୍ୟ୍ୟଟନ ଶିଳ୍ପର ବିକାଶ ପାଇଁ ଇକୋ-ରିଟ୍ରିଟ୍ ଖୋଲୁଥିବାରୁ କନ୍ଧମାଳର ପ୍ରକୃତି ମନଲୋଭା ପର୍ଯ୍ୟଟନ କ୍ଷେତ୍ର ଉପରେ କଟକଣା କଣ ପାଇଁ କରାଯାଇଛି । ଏନେଇ ଲୋକଙ୍କ ମନରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
ଇକୋ-ରିଟ୍ରିଟ୍ ଲୋକାର୍ପିତ ହେବା ପରେ କିଛି ପର୍ଯ୍ୟଟନ କ୍ଷେତ୍ର ଖୋଲିବା ଆରମ୍ଭ କରିଛି।ଯେପରିକି ଦାରିଙ୍ଗବାଡିରେ ନେଚର ପାର୍କ ଖୋଲିଯାଇଛି କିନ୍ତିୁ ପର୍ଯ୍ୟଟକଙ୍କ ଦେଖା ନାହିଁ ।ଅନ୍ୟ ସବୁ ପର୍ଯ୍ୟଟନ କ୍ଷେତ୍ର ଏବେ ବି ବନ୍ଦ ରହିଛି ।
ଶୀତରୁତୁରେ କନ୍ଧମାଳକୁ ପର୍ୟ୍ୟଟକଙ୍କ ସୁଅ ଛୁଟିଥାଏ ।୩ ମାସ ଧରି ସବୁ ପର୍ୟ୍ୟଟନ କ୍ଷେତ୍ରରେ ଗହଳିଚହଳି ଲାଗିରହେ। ଏହା ଦ୍ବାରା ହୋଟେଲ ଓ ଲଜ୍ ମାଲିକ ବେଶ ଭଲ ବେପାର କରିଥାନ୍ତି। ଆଉ ପର୍ଯ୍ୟଟନ କ୍ଷେତ୍ର ପାଖରେ ଥିବା ଛୋଟବଡ ଦୋକାନୀ ବି ଦିପଇସା ପାଇଥାନ୍ତି। ହେଲେ ଏ ବର୍ଷ କରୋନା କଟକଣା ପାଇଁ ୮ ମାସ ହେଲା ହୋଟେଲ ଓ ଲଜ୍ ସବୁ ବନ୍ଦ ରହିଛି । କଟକଣା ଉଠିବ ଓ ଏବେ ବି ବାହାରୁ ପର୍ଯ୍ୟଟକମାନେ ଆସିବେ ବୋଲି ଅପେକ୍ଷା କରି ବସିଛନ୍ତି ।