ଭୁବନେଶ୍ୱର (ଏଟିଆର ବ୍ୟୁରୋ) ହିନ୍ଦୁ ଧର୍ମର ପୌରାଣିକ କଥା ଅନୁଯାୟୀ ଶନିଦେବଙ୍କୁ ନ୍ୟାୟ ଦେବତା କୁହାଯାଇଥାଏ । ଏହା ସହିତ ସଦାଶିବ ଭୋଳା ଶଙ୍କର ଶନି ଦେବଙ୍କ ଗୁରୁ ବୋଲି ଏହି ପୁରାଣରେ ବର୍ଣ୍ଣନା କରାଯାଇଛି ।
ପୁରାଣ ଅନୁଯାୟୀ, ସୁର୍ଯ୍ୟଦେବ ଏବଂ ଦେବୀ ଛାୟାଙ୍କ ପୁତ୍ର ହେଉଛନ୍ତି ଶନିଦେବ । ପିଲାଦିନେ ଶନିଦେବ ଖୁବ୍ ଦୁଷ୍ଟ ଥିଲେ, ସେ କାହାରି କଥା ମାନୁନଥିଲେ । ତାଙ୍କର ଏହି ଦୁଷ୍ଟାମୀ ପାଇଁ ସୂର୍ଯ୍ୟଦେବ ବହୁତ ଚିନ୍ତିତ ରହୁଥିଲେ । ଗୋଟେ ଦିନ ସୂର୍ଯ୍ୟଦେବ ଚିନ୍ତିତ ହୋଇ ଭଗବାନ ଭୋଳା ଶଙ୍କରଙ୍କ ପାଖକୁ ଯାଇ ଶନିଦେବଙ୍କୁ ସଠିକ୍ ମାର୍ଗରେ ଆଣିବା ପାଇଁ ଗୁହାରୀ କରିଥିଲେ ।
ସୂର୍ଯ୍ୟଦେବଙ୍କ କଥା ମାନି ଶନିଦେବଙ୍କୁ ବୁଝାଇଥିଲେ ଭଗବାନ ଶିବ । ମାତ୍ର ଶନି ଦେବ ଶିବଙ୍କ କଥା ମାନିନଥିଲେ । ସେ ପୂରା ଅବୁଝା ଥିଲେ । ଶନିଦେବଙ୍କ ଏଭଳି ବ୍ୟବହାର ଦେଖି ଭଗବାନ ଶିବ ଖୁବ୍ ବ୍ୟାକୁଳ ହୋଇଥିଲେ, ଏବଂ ସେହି ସମୟରେ ଶନି ଦେବଙ୍କୁ ଉଚିତ୍ ଶିକ୍ଷା ଦେବା ପାଇଁ ତାଙ୍କ ଉପରେ ପ୍ରହାର କରିଥିଲେ । ଶିବଙ୍କ ପ୍ରହାରରେ ଶନିଦେବ ମୂର୍ଚ୍ଛିତ ହୋଇଯାଇଥିଲେ ।
ପୁଣି ସୂର୍ଯ୍ୟଦେବଙ୍କ କହିବା ଦ୍ୱାରା ଶନିଙ୍କ ମୂର୍ଚ୍ଛା ଦୂର କରିଥିଲେ ଶିବ ଏବଂ ଶନିଙ୍କୁ ତାଙ୍କର ଶିଷ୍ୟ କରିଥିଲେ । ଏହାପରେ ସେ ଶନିଦେବଙ୍କୁ ଆର୍ଶିବାଦ କରିଥିଲେ କି ଆଜିଠାରୁ ସେ ଦଣ୍ଡାଧିକାରୀ ହେବେ ଏବଂ ନ୍ୟାୟ ଏବଂ ଦଣ୍ଡ କାର୍ଯ୍ୟରେ ଶିବଙ୍କୁ ସହଯୋଗ କରିବେ । ଏହିଭଳି ଭାବେ ଶିବଙ୍କ ଆର୍ଶିବାଦରୁ ନ୍ୟାୟର ଦେବତା ହୋଇଥିଲେ ଶନିଦେବ ।