ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜି ସାରା ଦେଶରେ ପାଳିତ ହେଉଛି ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ । ଏହି ଅବସରରରେ ଲୋକେ ବ୍ରତ ରଖିବା ସହ ରାତ୍ରି ସମୟରେ ବାଲ୍ ଗୋପାଳଙ୍କ ଜନ୍ମୋତ୍ସବ ପାଳନ କରିବେ । ଏହାସହିତ ବିଧି ବିଧାନ ସହ ବାଲ୍ ଗୋପାଳ ଶ୍ରୀକୃଷ୍ଣଙ୍କ ପୂଜା କରିବେ । ମଥୁରା ସମେତ ଦେଶର ବିଭିନ୍ନ ସ୍ଥାନରେ ଥିବା କୃଷ୍ଣ ମନ୍ଦିରରେ ବିଶେଷ ରୂପେ ପୂଜାର୍ଚ୍ଚନା କରାଯିବ । ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ରୋହିଣୀ ନକ୍ଷତ୍ରରେ ଶ୍ରୀକୃଷ୍ଣ ଜନ୍ମ ଗ୍ରହଣ କରିଥିଲେ । ସେହି ଯୋଗ ଆଜି ମଧ୍ୟ ପଡିଛି ଯାହା ଜୟନ୍ତି ଯୋଗ ନାମରେ ଜଣା । ତେବେ ଆସନ୍ତୁ ଜାଣିବା ଜନ୍ମାଷ୍ଟମୀରେ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜା କିଭଳି କରିବେ ।
ଜନ୍ମାଷ୍ଟମୀରେ ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମୋତ୍ସବର ମୁହୂର୍ତ୍ତ ରାତି ୧୧ ଟା ୫୯ ରୁ ବିଳମ୍ବିତ ରାତି ୧୨.୪୪ ପର୍ଯ୍ୟନ୍ତ ରହିଛି ।
ଶ୍ରୀକୃଷ୍ଣ ଜନ୍ମାଷ୍ଟମୀରେ ଭଗବାନଙ୍କ ବାଲ୍ ସ୍ୱରୂପକୁ ଆରାଧନା କରାଯାଇଥାଏ । ଆପଣ ବାଲ୍ ଗୋପାଳଙ୍କ ଚାନ୍ଦୀ, ତମ୍ବ. ପିତଳ, ମାଟି ବା ଚିତ୍ରରୂପ ମୂର୍ତ୍ତି ପୂଜା ପାଇଁ ସ୍ଥାପିତ କରି ପାରିବେ ।
ଜନ୍ମାଷ୍ଟମୀ ଅବସରରେ ଆପଣ ସ୍ନାନ ସାରି ଭଗବାନ ଶ୍ରୀକୃଷ୍ଣଙ୍କ ପୂଜା ପାଇଁ ସଂକଳ୍ପ ନିଅନ୍ତୁ । ଏଥିପାଇଁ ପୂର୍ବ କିମ୍ବା ଉତ୍ତର କୋଣରେ ବସନ୍ତୁ । ପୁଣି ହାତରେ ଜଳ, ପୁଷ୍ପ ଏବଂ ଅକ୍ଷତ ନେଇ ସଂକଳ୍ପ ମନ୍ତ୍ର ପାଠ କରି ସଂକଳ୍ପ ନିଅନ୍ତୁ ।