ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଧର୍ମ ଏବଂ ଆସ୍ଥାରେ ଅନେକ ଅଲୌକିକ ଜିନିଷ ହୋଇଥାଏ, ଯାହାଫଳରେ ଭଗବାନଙ୍କ ଶ୍ରଦ୍ଧା ଆହୁରି ବଢିଯାଇଥାଏ । ଏଭଳି ଏକ ଚମକ୍ରାରିତା ତଥା ଅଲୌକିକ ଦୃଶ୍ୟ ଏକ ଦେବୀ ମନ୍ଦୀରରେ ଦେଖିବାକୁ ମିଳୁଛି । ଯେଉଁଠି ଦୀପ ଜାଳିବା ପାଇଁ କୌଣସି ଘିଅ ବା ତେଲର ଆବଶ୍ୟକ ପଡେ ନାହିଁ । ଏଭଳି ଦୃଶ୍ୟ ଦୀର୍ଘ ପାଞ୍ଚ ବର୍ଷ ହେବ ଦେଖିବାକୁ ମିଳୁଛି ।
ରିପୋର୍ଟ ମୁତାବକ, ଏହି ଦେବୀ ମଧ୍ୟପ୍ରଦେଶର ଶାଜାପୁର ଜିଲ୍ଲାରେ ଗଡିଆଘାଟ ମାତାଜୀ ନାମରେ ଖୁବ୍ ପ୍ରସିଦ୍ଧ । ଏହି ମନ୍ଦିର କାଳିସିନ୍ଧ ନଦୀ କୂଳ ସ୍ଥିତ ଗାଡିଆ ଗାଁ ନିକଟରେ ଅବସ୍ଥିତ । କୁହାଯାଉଛି କି ଏହି ମନ୍ଦିରରେ ଦୀର୍ଘ ପାଞ୍ଚ ବର୍ଷ ହେବ ଏକ ଦୀପ ଜଳି ଆସୁଛି । ହୁଏତ ଦେଶର ଏଭଳି ଅନେକ ମନ୍ଦର ରହିଛି, ଯେଉଁଠି ବହୁ ବର୍ଷ ଧରି ଦୀପ ଜଳୁଛି, କିନ୍ତୁ ଏହି ମନ୍ଦିରରେ ଜଳୁଥିବା ଦୀପର ରହସ୍ୟ ସମ୍ପୂର୍ଣ୍ଣ ଅଲଗା ।
ମନ୍ଦିରର ପୂଜାରୀଙ୍କ କହିବାନୁଯାୟୀ,ଏହି ମନ୍ଦିରରେ ଯେଉଁ ଦୀପ ଜଳୁଛି, ସେଥିପାଇଁ କୌଣସି ତେଲ, ଘିଅ କିମ୍ବା ମହମର ଆବଶ୍ୟକତା ପଡୁନାହିଁ । ବରଂ କେବଳ ପାଣିରେ ହିଁ ଦୀପ ଜଳୁଛି । ପୂର୍ବରୁ ଏଠାରେ ତେଲ ଦୀପ ଜଳୁଥିଲା କିନ୍ତୁ ଦୀର୍ଘ ପାଞ୍ଚ ବର୍ଷ ପୂର୍ବେ ମା’ ସ୍ୱପ୍ନାଦେଶରେ ଆସି ପାଣିରେ ଦୀପ ଜାଳିବା ପାଇଁ କହିଥିଲେ । ସେବେଠାରୁ ମା’ଙ୍କ ଆଦେଶ ଅନୁସାରେ ପାଣିରେ ଦୀପ ଜଳାଯାଉଛି ।
ମା’ଙ୍କ ଆଦେଶ କ୍ରମେ ପୂଜାରୀ ଜଣକ କାଳିସିନ୍ଧ ନଦୀରୁ ପାଣି ନେଇ ଦୀପରେ ପକାଇ ବତି ଲଗାଇବା ପରେ ଦୀପ ଜଳିବା ଆରମ୍ଭ ହୋଇଥିଲା । ଏହାକୁ ଦେଖି ପୂଜାରୀ ପୂରା ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏନେଇ ସେ ଦୁଇ ମାସ କାଳ କାହାରିକୁ କିଛି କହି ବି ନଥିଲେ । ଏହାପରେ ସେ ଗ୍ରାମବାସୀଙ୍କୁ ଜଣାଇଥିଲେ କିନ୍ତୁ ଗ୍ରାମବାସୀ ବିଶ୍ୱାସ କଲେ ନାହିଁ । ମାତ୍ର ଗ୍ରାମବାସି ନିଜେ ଦୀପରେ ପାଣି ପକାଇ ଦୀପ ଜାଳିବା ପରେ ଦୀପ ଜଳିଥିଲା । ତା’ପରେ ଗ୍ରାମବାସୀ ବିଶ୍ୱାସ କରିଥିଲେ ଏବଂ ଏହା ମା’ଙ୍କ ର ଚମକ୍ରାର ବୋଲି କହିଥିଲେ ।
ବର୍ଷା ଦିନରେ ଏହି ଦୀପ ଜଳେ ନାହିଁ, କାରଣ ବର୍ଷାରେ କାଳିସିନ୍ଧ ନଦୀର ଜଳ ସ୍ତର ବଢିଯିବା ଯୋଗୁଁ ମନ୍ଦିର ସମ୍ପୂର୍ଣ୍ଣ ବୁଡିକି ରହିଥାଏ । ଯାହାଫଳରେ ମନ୍ଦିରରେ ପୂଜା କରିବା ଅସମ୍ଭବ ।