ପୁରୀ (ଏଟିଆର ବ୍ୟୁରୋ): ଆଜି ଭାଦ୍ରବମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ବା ଜନ୍ମାଷ୍ଟମୀ । ଏହି ଅବସରରେ ମଠ ମନ୍ଦିର ସବୁଠି ପାଳିତ ହେଉଛି ଶ୍ରୀକୃଷ୍ଣ ଜନ୍ମୋତ୍ସବ । ସେହିପରି ଶ୍ରୀମନ୍ଦିରରେ ମଧ୍ୟ ଜନ୍ମାଷ୍ଟମୀ ପାଇଁ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି । ସନ୍ଧ୍ୟାଧୂପ ପରେ ଶ୍ରୀକୃଷ୍ଣ ଜନ୍ମନୀତି ଅନୁଷ୍ଠିତ ହେବ ।
ସନ୍ଧ୍ୟାଧୂପ ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ଭଣ୍ଡାର ଘର ସମ୍ମୁଖରେ ପୂଜାପଣ୍ଡା ସେବାୟତ ମାନେ ପଞ୍ଚବର୍ଣ୍ଣ ମୁରୁଜରେ ଜନ୍ମମଣ୍ତଳୀ ଅଙ୍କନ କରିଥାନ୍ତି । ସେଠାରେ ସୁନାର କୃଷ୍ଣ ମୁର୍ତ୍ତି ରଖାଯାଇ ଦକ୍ଷିଣ ଘରୁ ମଦନମୋହନଙ୍କୁ ବିଜେ କରାଯାଇଥାଏ । ପରେ ମହାଜନ ସେବକ ଦେବକୀ ଓ ବସୁଦେବ ହୋଇ ଏହି ଜନ୍ମନୀତି ପାଳନ କରିଥାନ୍ତି ।