ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବିଶ୍ୱବ୍ୟାପୀ କାୟା ବିସ୍ତାର କରିଛି ମହାମାରୀ କରୋନା । ଏହାକୁ ମାତ୍ ଦେବା ପାଇଁ ଟୀକା ପ୍ରସ୍ତୁତି କରିବାରେ ଦିନ-ରାତି ଏକକାର କରିଦେଇଛନ୍ତି ଦୁନିଆର ବୈଜ୍ଞାନିକ । ଏହାରି ମଧ୍ୟରେ ଟୀକା ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ପ୍ରକୃତରେ କରୋନା ଟୀକା ପ୍ରସ୍ତୁତିରେ ଲାଗିଥିବା ଆମେରୀକି କମ୍ପାନୀ ଜନସନ୍ ଆଣ୍ଡ ଜନସନ୍ ଏବେ ଟୀକା ପରୀକ୍ଷଣ ଉପରେ ରୋକ ଲଗାଇଛି ।
କମ୍ପାନୀର କହିବାନୁଯାୟୀ ପରୀକ୍ଷଣରେ ସାମିଲ ଥିବା ଜଣେ ବ୍ୟକ୍ତି କୌଣସି ରୋଗରେ ପୀଡିତ ଅଛନ୍ତି, ଯେଉଁଥି ପାଇଁ ଅସ୍ଥାୟୀ ଭାବେ ପରୀକ୍ଷଣ ଉପରେ ରୋକ ଲଗାଯାଇଛି । ପରୀକ୍ଷଣରେ ସାମିଲ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କର ସୁରକ୍ଷା ଆମର ପ୍ରଥମ ଦାୟିତ୍ୱ, ସେଥିପାଇଁ କିଛି ଦିନ ପାଇଁ ପରୀକ୍ଷଣକୁ ରୋକା ଯାଇଛି ।
ଚଳିତମାସ ଆରମ୍ଭରେ ଜନସନ୍ ଆଣ୍ଡ ଜନସନ୍ କମ୍ପାନୀ ଟୀକା ପ୍ରସ୍ତୁତ କରୁଥିବା ସେହି କମ୍ପାନୀ ତାଲିକାରେ ସାମିଲ ହୋଇଛି,ଯେଉଁମାନେ କରୋନା ଟୀକା ପରୀକ୍ଷଣରେ ଆଗକୁ ବଢି ମାନବ ପରୀକ୍ଷଣରେ ପହଁଚି ଯାଇଛନ୍ତି । ସେହିପରି ଜନସନ୍ ଆଣ୍ଡ ଜନସନ୍ ର ଏଡି୨୬-ସିଓଭି୨-ଏସ ଟୀକା ଆମେରିକାରେ ଚତୁର୍ଥ ଏଭଳି ଟୀକା ଯାହା କ୍ଲିନିକାଲ ଟ୍ରାଏଲର ଅନ୍ତିମ ପର୍ଯ୍ୟାୟରେ ରହିଛି ।