ବ୍ରହ୍ମପୁର,(ଏଟିଆର ବ୍ୟୁରୋ): ବିଚ ରାସ୍ତାରେ ଗାଡି ଅଟକାଇ ଲୁଟପାଟ କରି ଫେରାର ହୋଇଯାଇଥିବା ୪ଜଣ ଲୁଟେରାଙ୍କୁ ଶେଷରେ ଗିରଫ କରିଛି ଦିଗପହଣ୍ଡି ଥାନା ପୁଲିସ । ସେମାନେ ହେଲେ କାଳିଆ ସେଠୀ, ରିଙ୍କୁ ପାତ୍ର, ସୁଶାନ୍ତ ଜେନା ଓ ବବୁର ନାୟକ । ପୁଲିସ ରିପୋର୍ଟ ଅନୁସାରେ, ଗତ ୧୪ତାରିଖରେ ଏମାନେ ଇ. ରାଜେଶ୍ୱର ରାଓ ନାମକ ଜଣେ ବ୍ୟକ୍ତିଙ୍କୁ ଟାର୍ଗେଟ କରିଥିଲେ ।
ରାଜେଶ୍ୱରଙ୍କ ବ୍ରହ୍ମପୁରରେ ଏକ ଖଇନି ଡିଲର ସଂସ୍ଥା ରହିଛି । ଏମଏସ ହରପ୍ରୀୟ ଷ୍ଟୋର ନାମକ ସଂସ୍ଥାରୁ ସେ ୫୪ହଜାର ଖଇନି ପାଉଚ ନେଇ ଏକ ଟ୍ରକରେ ଯାଉଥିଲେ । ତେବେ ଅଚାନକ ମହୁଡା ଫାର୍ମାସି କଲେଜ ଛକ ନିକଟରେ ଗିରଫ ଅଭିଯୁକ୍ତଙ୍କ ସମେତ ଆହୁରି ଅନେକ ସଙ୍ଘବଦ୍ଧ ଭାବେ ଆସି ତାଙ୍କୁ ଅଟକାଇଥିଲେ । ଏହାପରେ ଭୟଭିତ କରାଇ ଟ୍ରକରେ ଯାଉଥିବା ଖଇନି ପାଉଚକୁ ଏକ ଟାଟା ଏସି ଗାଡିରେ ଭର୍ତ୍ତି କରି ଫେରାର ହୋଇଯାଇଥିଲେ । ତେବେ ଲୁଟ ହୋଇଥିବା ଖଇନି ପାଉଚର ମୁଲ୍ୟ ପାଖାପାଖି ୩ଲକ୍ଷରୁ ଅଧିକ ଟଙ୍କା ହେବ । ସେପଟେ ଲୁଟ ପରେ ରାଜେଶ୍ୱର ଘଟଣା ସମ୍ପର୍କରେ ଥାନାରେ ଜଣାଇଥିଲେ । ପୁଲିସ ମାମଲାକୁ ଗୁରୁତର ସହ ନେଇ ଖୋଳତାଡ କରିବା ପରେ ୪ଜଣଙ୍କୁ ଗିରଫ କରାଯାଇଛି । ଏବେ ବି ଆହୁରି ଅନେକ ଫେରାର ରହିଛନ୍ତି । ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବା ନେଇ ଚଢ଼ାଉ ଜାରି ରହିଥିବା ପୁଲିସ ସୂଚନା ଦେଇଛି । ରିପୋର୍ଟ: ନବୀନ ରାଜ