ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଦିନକତଳେ ଭୁବନେଶ୍ୱର ବିମାନ ବନ୍ଦରରେ ନିର୍ମାଣଧିନ ଛାତ ଭୁସୁଡି ୧ଜଣକର ମୃତ୍ୟୁ ହୋଇଛି । ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ମଧ୍ୟ ଦେଖିବାକୁ ମିଳିଥିଲା ।
ତେବେ ଠିକା କମ୍ପାନୀର ଖାମଖିଆଲୀ ପାଇଁ ଏତେ ବଡ ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା । ଦିଲୀପ କନଷ୍ଟ୍ରକସନ କମ୍ପାନୀ ଅଧିନରେ ହେଉଥିଲା ରାଜ୍ୟ ସରକାରଙ୍କ ଆନ୍ତର୍ଜାତୀୟ ବିମାନ ବନ୍ଦର ୧୦୦କୋଟି ଟଙ୍କାର ଏହି କାମ । ହେଲେ କିପରି ଭାବରେ ଏତେ ବଡ କାମରେ ଅନିମିୟତତା ହେଲା ଏବଂ ଜଣଙ୍କର ଜୀବନ ଚାଲିଗଲା ତାହା ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।
ସୂଚନା ଅନୁସାରେ ଏହି ଦୀଲିପ କନଷ୍ଟ୍ରକସନ କମ୍ପାନୀ ୧୬କୋଟି ଟଙ୍କା ବ୍ୟୟରେ ପୁରୀରେ ଜଗମୋହନ ମରାମତି କାର୍ଯ୍ୟ କରିଥିଲା । ଏବଂ ଶ୍ରୀକ୍ଷେତ୍ରରେ ଆହୁରି ଅନେକ ପ୍ରକଳ୍ପ ନିର୍ମାଣ ଦାୟିତ୍ୱ ମଧ୍ୟ ରହିଛି ଏହି ଦିଲୀପ କନଷ୍ଟ୍ରକସନ କମ୍ପାନୀ ହାତରେ ।
ସ୍ୱଭାବିକ ପ୍ରଶ୍ନ ଅନୁସାରେ ଦିଲୀପ କନଷ୍ଟ୍ରକସନ ଅଧୀନରେ ଶ୍ରୀକ୍ଷେତ୍ରରେ ହୋଇଥିବା କାର୍ଯ୍ୟ ଗୁଡିକ ଠିକ ଭାବରେ ହୋଇଛି କି ନାହିଁ ଏବଂ ଅନ୍ୟ ନିର୍ମାଣଧିନ ପ୍ରକଳ୍ପ ଗୁଡିକର ମାନ କିପରି ରହିଛି? ଏଭଳି କିଛି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ।
ତେବେ ଦିଲୀପ କନଷ୍ଟ୍ରକସନର ମୁଖ୍ୟ ଦିଲୀପ ଖଟ୍ଟେଇଙ୍କୁ ନେଇ ବିବାଦ ଘନେଇବାକୁ ଲାଗିଲାଣି । ବିଭିନ୍ନ ମହଲରେ ଦିଲୀପ ଖଟ୍ଟେଇଙ୍କ ଦ୍ୱାରା ହୋଇଥିବା କାର୍ଯ୍ୟ ଗୁଡିକୁ ଯାଞ୍ଚ କରିବାରୁ ମଧ୍ୟ ଦାବି କରାଗଲାଣି । ସାଧାରଣ ଲୋକଙ୍କ ମନରେ ଏବେ ଗୋଟିଏ ପ୍ରଶ୍ନ ଭୁବନେଶ୍ୱର ଭଳି ଶ୍ରୀକ୍ଷେତ୍ରର ମଧ୍ୟ ସମଦଶା ହେବନି ତ!