ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଆଖି ପିଛୁଳାକେ ଆସନ୍ତି । ଝାମ୍ପିନେଇ ଫେରାର ହୋଇଯାଆନ୍ତି । ଯାହାର ଟେର ପାଇବା ପୁଲିସ ଲାଗି ମଧ୍ୟ କାଠିକର ପାଠ ହୋଇପଡେ । ହେଲେ ଆଜି ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଚକିତ କରିଛି । ଦୁଇଜଣ ଲୁଟେରାକୁ ଖୋଦ ଥାନା ଅଧିକାରୀ ଗୋଡାଇ ଗୋଡାଇ କାବୁ କରିଛନ୍ତି ।
ଭରା ବଜାରରେ ଚୋର ଓ ପୁଲିସର ଏହି ଖେଳ ନଜରକୁ ଆସିଛି ଖାରବେଳନଗର ଥାନା ଅର୍ନ୍ତଗତ ଲେବର କମିଶନର ଅଫିସ ସମ୍ମୁଖରେ । ଥାନା ଅଧିକାରୀଙ୍କ ଏଭଳି ସାହସିକତାକୁ ସାବାସି ଜଣାଇଛନ୍ତି ସ୍ଥାନୀୟ ଲୋକେ । ମିଳିଥିବା ରିପୋର୍ଟ ଅନୁସାରେ, ୨ଜଣ ଲୁଟେରା ଲୁଟ କରିବା ପାଇଁ ରାମମନ୍ଦିର ପାଖରେ ଉଦ୍ୟମ କରିଥିଲେ । ଠିକ ସେହି ସମୟରେ ଘଟଣା ଉପରେ ନଜର ପଡିଥିଲା ଖାରବେଳନଗର ଥାନା ଅଧିକାରୀଙ୍କର । ଲୁଟେରାଙ୍କୁ ଧରିବାକୁ ସେ ଆଗକୁ ବଢ଼ିଥିବା ବେଳେ ପୁଲିସକୁ ଦେଖି ଲୁଟେରାମାନେ ଫେରାର ହେବାକୁ ଚେଷ୍ଟା କରିଥିଲେ ।
ବାଇକ୍ ନେଇ ଚମ୍ପଟ ମାରୁଥିବା ବେଳେ ଥାନା ଅଧିକାରୀ ବି ନଛୋଡ ବନ୍ଧା । ଥାନା ଭ୍ୟାନ ଧରି ଲୁଟେରାଙ୍କୁ ଗୋଡାଇଥିଲେ । ବେଶ କିଛି ସମୟ ଚାଲିଲା ଗୋଡାଗୋଡି । ଶେଷରେ ଲେବର କମିଶନର ଅଫିସର ସମ୍ମୁଖରେ ୨ଲୁଟେରାଙ୍କୁ କାବୁ କରିଥିଲେ ଥାନା ଅଧିକାରୀ । ଲୁଟେରାଙ୍କ ପାଖରୁ ଏକ ବାଇକ ଜବତ ହୋଇଥିବା ସୂଚନା ମିଳିଛି । ତେବେ ତଦନ୍ତ ଚାଲୁଥିବା ଯୋଗୁ ପୁଲିସ ହାତରେ ଧରାପଡିଥିବା ଲୁଟେରାଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରି ନାହିଁ ।