ଭଦ୍ରକ (ଏଟିଆର ବ୍ୟୁରୋ); ରାସ୍ତାରେ ଶହ ଶହ ଲିଟର କ୍ଷୀର ଢ଼ାଳିଲେ ଚାଷୀ । ଓମଫେଡ କ୍ଷୀର ନେବାକୁ ମନା କରିବାରୁ ରାସ୍ତାରେ କ୍ଷୀର ଢ଼ାଳି ଏଭଳି ପ୍ରତିବାଦ କରିଛନ୍ତି ଚାଷୀ । ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏବେ ଚାପା ଉତ୍ତେଜନା ଦେଖାଦେଇଛି । ତେବେ ଆଗାମି ଦିନରେ ଯଦି ଓମଫେଡ କ୍ଷୀର ନନିଏ ତେବେ ଆନ୍ଦୋଳନକୁ ଓହ୍ଳାଇବା ପାଇଁ ଚେତାବନୀ ଦେଇଛନ୍ତି ଚାଷୀ ।
ସବୁଦିନ ଓମଫେଡ ବାସୁଦେବପୁର ଅଞ୍ଚଳରୁ କ୍ଷୀର ନେଉଥିଲା । ତେବେ ଗତକାଲି ରାତିରେ ନେବା ପାଇଁ ମନା କରିଥିଲା । ନିମ୍ନମାନର କ୍ଷୀର ହୋଇଥିବାରୁ ନେବାକୁ ମନା କରିଥିଲା ଓମଫେଡ । ଚାଷୀମାନେ ଯେତେ କହିଥିଲେ ସୁଦ୍ଧା ଶୁଣିନଥିଲେ ଓମଫେଡ କର୍ମଚାରୀ । ଏହାପରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲେ ।
ରାସ୍ତା ଉପରେ ପାଖାପାଖି ୧୨୦୦ ଲିଟର କ୍ଷୀର ଢ଼ାଳି ଦେଇଥିଲେ ଚାଷୀ । ଯାହା ଏବେ ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି । କାରଣ ରାସ୍ତା ପାଲଟି ଯାଇଥିଲା କ୍ଷୀର ସାଗର । ତେବେ ଓଡିଶା ଏକ କୃଷି ପ୍ରବଣ ରାଜ୍ୟ ହୋଇଥିବା ବେଳେ ଏଭଳି ଘଟଣା ଭାରି ନିନ୍ଦନୀୟ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ତେବେ ଆଗାମି ଦିନରେ ଯଦି କ୍ଷୀର ନ ନିଏ ତେବେ ଆନ୍ଦୋଳନ କରିବେ ବୋଲି ଚେତାବନି ଦେଇଛନ୍ତି ଚାଷୀ ।